Categories: ଖେଳ

ସାଧାରଣତନ୍ତ୍ର ଦିବସରେ ଟିମ୍‌ ଇଣ୍ଡିଆର ଭେଟି

ଅକ୍‌ଲାଣ୍ଡ,୨୬।୧- ଦେଶର ୭୧ତମ ସାଧାରଣତନ୍ତ୍ର ଦିବସରେ ବିଜୟ ଭେଟି ଦେଇଛି ଟିମ୍‌ ଇଣ୍ଡିଆ। ସ୍ଥାନୀୟ ଇଡେନ ପାର୍କରେ ଅନୁଷ୍ଠିତ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌କୁ ଭାରତ ସହଜରେ ଜିତିନେଇଛି। ଘରୋଇ ଦଳ ପକ୍ଷରୁ ଧାର୍ଯ୍ୟ ୧୩୩ ରନ୍‌ର ବିଜୟ ଲକ୍ଷ୍ୟକୁ ଲୋକେଶ ରାହୁଲଙ୍କ ଅପରାଜିତ ଅର୍ଦ୍ଧଶତକ ଯୋଗୁ ଭାରତ ୧୭.୩ ଓଭରରେ ହାସଲ କରିଛି। ଫଳରେ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଭାରତ ୨-୦ର ଅଗ୍ରଣୀ ହାସଲ କରିଛି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଦଳ ଧାର୍ଯ୍ୟ ୨୦ ଓଭରରେ ୫ ଉଇକେଟ ହରାଇ ୧୩୨ ରନ୍‌ କରିଥିଲା। ଦଳ ପାଇଁ ମାର୍ଟିନ ଗୁପ୍‌ଟିଲ ୩୩, ଟିମ ସେଫର୍ଟ ୩୩ ଓ କଲିନ ମୁନ୍‌ରୋ ୨୬ ରନ୍‌ କରିଥିଲେ। ଭ୍ରମଣକାରୀ ବୋଲରଙ୍କ ମଧ୍ୟରେ ରବୀନ୍ଦ୍ର ଜାଡେଜା ୨ ଉଇକେଟ ଅକ୍ତିଆର କରିଥିବାବେଳେ ଶାର୍ଦ୍ଦୁଳ ଠାକୁର, ଯଶ୍‌ପ୍ରୀତ ବୁମରା ଓ ଶିବମ୍‌ ଦୁବେ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ। ପୂର୍ବ ମ୍ୟାଚ୍‌ ଭଳି ଏଥର ମଧ୍ୟ ରୋହିତ ଶର୍ମା (୮) ଶସ୍ତାରେ ଆଉଟ୍‌ ହୋଇଥିଲେ। ତାଙ୍କ ପରେ ପଡ଼ିଥିଲା ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପାଳି। ସେ ମାତ୍ର ୧୧ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ତୃତୀୟ ଉଇକେଟ ପାଇଁ ରାହୁଲ ଓ ଶ୍ରେୟାସ ଆୟାର ୮୬ ରନ୍‌ର ଭାଗୀଦାରି କରି ଦଳର ବିଜୟ ସୁନିଶ୍ଚିତ କରିଥିଲେ। ଆୟାର ୪୪ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ଅଲରାଉଣ୍ଡର ଶିବମ୍‌ ଛକା ଲଗାଇ ମ୍ୟାଚ୍‌ ଶେଷ କରିଥିଲେ। ଫଳରେ ଭାରତ ୧୭.୨ ଓଭରରେ ୩ ଉଇକେଟ ବିନିମୟରେ ୧୩୫ ରନ୍‌ କରି ମ୍ୟାଚ୍‌ ଜିତି ନେଇଛି। ବିଜୟୀ ଦଳ ପକ୍ଷରୁ ରାହୁଲ ୫୭* ରନ୍‌ କରିଥିଲେ। ତାଙ୍କ ଇନିଂସରେ ଥିଲା ୩ ଚୌକା ଓ ୨ ଛକା। ଶିବମ୍‌ ୮ ରନ୍‌ କରି ଅପରାଜିତ ଥିଲେ। ଘରୋଇ ଦଳ ଲାଗି ଟିମ୍‌ ସୌଦି ୨ ଉଇକେଟ ନେଇଥିଲେ।

Share