ସାଧାରଣତନ୍ତ୍ର ଦିବସ ପାଇଁ ଟ୍ରାଫିକ କଟକଣା

ଭୁବନେଶ୍ୱର,୨୩ା୧(ବ୍ୟୁରୋ): ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ କମିଶନରେଟ ପୋଲିସ ପକ୍ଷରୁ ବୁଧବାର ଟ୍ରାଫିକ୍‌ କଟକଣା ଜାରି କରାଯାଇଛି। ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପରେଡ଼ ଅନୁଷ୍ଠିତ ହେବ। ତେଣୁ ଆସନ୍ତା ୨୬ ତାରିଖ ସକାଳ ୬ରୁ ପରେଡ଼ ଶେଷ ହେବା ପର୍ଯ୍ୟନ୍ତ କୌଣସି ଗାଡ଼ିକୁ ଗାନ୍ଧୀ ମାର୍ଗକୁ ଛଡ଼ାଯିବ ନାହିଁ। ଜନପଥରେ ଗାଡ଼ିମୋଟର ସ୍ବାଭାବିକ ଭାବେ ଚଳାଚଳ କରିବ। କିନ୍ତୁ ମାଷ୍ଟରକ୍ୟାଣ୍ଟିନରୁ ମହାମତ୍ାଗାନ୍ଧୀ ମାର୍ଗ ଦେଇ ଯିବାକୁ ଅନୁମତି ଦିଆଯିବ ନାହିଁ। ସେହିପରି ସଚିବାଳୟ ମାର୍ଗରେ ହାଉସିଂ ବୋର୍ଡରୁ ପିଏମ୍‌ଜି ଆସୁଥିବା ଗାଡ଼ିଗୁଡିକୁ ରବୀନ୍ଦ୍ର ମଣ୍ଡପ ପୂର୍ବରୁ ବାମ ପଟ ଦେଇ ଯିବାକୁ କୁହାଯାଇଛି। ଏଜି ଛକରୁ ପିଏମ୍‌ଜି ଛକ ଆଡ଼କୁ ଆସୁଥିବା ଗାଡିଗୁଡିକୁ ଆଇଜି ପାର୍କ ପୂର୍ବରୁ ଡାହାଣକୁ ମୋଡି ଯିବାକୁ ପରାମର୍ଶ ଦିଆଯାଇଛି। ଏମାନଙ୍କୁ ସଚିବାଳୟ ମାର୍ଗକୁ ଆସିବାକୁ ଦିଆଯିବ ନାହିଁ। ୧୨୦ ବାଟାଲିୟନରୁ ରବୀନ୍ଦ୍ର ମଣ୍ଡପ ଛକ ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ବିଧାୟକ କଲୋନୀ ମୋଡ଼ରେ ବାମକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରେଡ଼ ଦେଖିବାକୁ ଯାଉଥିବା ଲୋକଙ୍କ ପାଇଁ ପାର୍କିଂର ବ୍ୟବସ୍ଥା କରାଯାଇଛି। ମାଷ୍ଟର କ୍ୟାଣ୍ଟିନ ରେଳ ଷ୍ଟେଶନ ପାଖ ବସ୍‌ଷ୍ଟାଣ୍ଡ, କଂଗ୍ରେସ ଭବନ ପାଖ, ସୂଚନା ଭବନ ଭିତରେ, ଇଡ୍‌କଲ୍‌ ଅଡିଟୋରିୟମ ପାଖ ପଡିଆ, ରବୀନ୍ଦ୍ର ମଣ୍ଡପ ଭିତରେ, ୟୁନିଟ-୩ ଏସ୍‌ବିଆଇ ନିକଟରେ ଅଞ୍ଚଳରେ ଗାଡ଼ି ପାର୍କ କରିବାକୁ କୁହାଯାଇଛି। ପରେଡ ଅଭ୍ୟାସ ନେଇ କମିଶନରେଟ ପୋଲିସ ପକ୍ଷରୁ ପୂର୍ବରୁ ସୂଚନା ନ ଥିବାରୁ ଅନେକ ଚାଳକ ଅଭିଯୋଗ ଆଣିଥିଲେ।

Share