ସାଧୁ ବେଶରେ ଚୋରି କରି ୨ ଗିରଫ

ଭୁବନେଶ୍ୱର,୯ା୧୨(ବ୍ୟୁରୋ): ଚୋରି ପାଇଁ ସାଧୁବେଶ ଭଳି ଅଭିନବ ଉପାୟ ଆପଣେଇବା ଶେଷରେ ମହଙ୍ଗା ପଡ଼ିଛି। ମିଠା କହି ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇ ଘରେ କଳାକନା ବୁଲାଉଥିବା ୨ ଅଭିଯୁକ୍ତଙ୍କୁ ରବିବାର ଚନ୍ଦ୍ରଶେଖରପୁର ଥାନା ପୋଲିସ ଗିରଫ କରିଛି। ସେମାନେ ହେଲେ ଉତ୍ତରପ୍ରଦେଶର ରାଜା ଯୋଗୀ ଓ ସୁରେଶ ଯୋଗୀ। ଦୁହେଁ ଭୁବନେଶ୍ୱରସ୍ଥ ପଟିଆ ଷ୍ଟେଶନ ଅଞ୍ଚଳରେ ରହୁଥିଲେ। ସୂଚନା ମୁତାବକ, ଚୋରି କରିବା ପାଇଁ ରାଜା ଓ ସୁରେଶ ସାଧୁବେଶ ଧାରଣ କରୁଥିଲେ। ଗତ ଜୁଲାଇ ୧୬ତାରିଖ ପୂର୍ବାହ୍ନ ପ୍ରାୟ ସାଢେ ୧୦ଟାରେ ଦୁହେଁ ଡମଣା ଅଞ୍ଚଳର ଶରତ ଚନ୍ଦ୍ର ମଲ୍ଲିକଙ୍କ ଘରେ ପହଞ୍ଚିଥିଲେ। ତାଙ୍କ କବାଟ ବାଡ଼େଇ ପିଇବାକୁ ପାଣି ମାଗିଥିଲେ। ପାଣି ପିଇବା ପରେ ମିଠା କଥା କହି ସେମାନଙ୍କ ପ୍ରତି ଶରତଙ୍କ ମନରେ ମିଛ ବିଶ୍ୱାସ ଜନ୍ମାଇଥିଲେ। ଏହାପରେ ଭବିଷ୍ୟବାଣୀ କହିବା ନାଁରେ ତାଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ପୂଜାରେ ଆଖି ବନ୍ଦ କରି ବସିବାକୁ କହିଥିଲେ। ଶରତ ଓ ପରିବାର ଲୋକେ ଆଖି ବନ୍ଦ କରି ବସିବା ସମୟରେ ସେମାନେ ତାଙ୍କ ଘରୁ ୬ହଜାର ୫ଶହ ଟଙ୍କା, ଏକ ଏଲ୍‌ଇଡି ଟିଭି ନେଇ ଫେରାର ହୋଇଯାଇଥିଲେ। ଶନିବାର ଦୁହିଁଙ୍କୁ ଶରତ ଦେଖି ଫଟୋ ଉଠାଇ ପୋଲିସକୁ ଜଣାଇବା ସହ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୁକ୍ତଙ୍କୁ ପଟିଆ ଷ୍ଟେଶନ ଅଞ୍ଚଳରୁ ଧରିଆଣି ତଦନ୍ତ ଆରମ୍ଭ କରିଥିଲା। ପଚରାଉଚରା ବେଳେ ସେମାନେ ଏଭଳି ଭାବେ ଚୋରି କରୁଥିବା କହିଥିଲେ। ଏ ନେଇ ପୋଲିସ ୪୯୨/୧୯ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିଥିଲା।

Share