Categories: ଜାତୀୟ

ସାଧ୍ୱୀ ପ୍ରଜ୍ଞା ଠାକୁର ଭୋପାଳରୁ ଭାଜପା ପ୍ରାର୍ଥୀ

ନୂଆଦିଲ୍ଲୀ,୧୮ା୪(ପି.ଟି.): ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାରେ ବିଚାରର ସମ୍ମୁଖୀନ ହୋଇଥିବା ସାଧ୍ୱୀ ପ୍ରଜ୍ଞା ସିଂ ଠାକୁରଙ୍କୁ ଭାଜପା ମଧ୍ୟପ୍ରଦେଶର ଭୋପାଳ ଆସନରୁ ପ୍ରାର୍ଥୀ କରିଛି। ଏହି ଆସନରେ ତାଙ୍କର ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା ହେବ। ଜାମିନରେ ଆସିଥିବା ପ୍ରଜ୍ଞା ସିଂ ବୁଧବାର ଭାଜପାରେ ଯୋଗଦେବାର କିଛି ସମୟ ପରେ ଦଳ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୋପାଳ ଆସନରୁ ପ୍ରାର୍ଥୀ କରିଛି। ଏନ୍‌ଆଇଏ କୋର୍ଟ ତାଙ୍କ ବିରୋଧରେ ମକୋକା ଅଭିଯୋଗକୁ ବାଦ୍‌ ଦେଇଥିଲେ ହେଁ ମାଲେଗାଓଁ ମାମଲାର ଅନ୍ୟ ଅଭିଯୋଗରେ ତାଙ୍କ ବିରୋଧରେ ମକଦ୍ଦମା ଚାଲିଛି। ସେହିପରି ଗୁନା ଆସନରୁ କେ.ପି. ଯାଦବ ଭାଜପା ପ୍ରାର୍ଥୀ ହେବାକୁ ଯାଉଛନ୍ତି। ଏହି ଆସନରେ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଲଢ଼ୁଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସଗର ଏବଂ ବିଦିଶା ଆସନରୁ ଭାଜପା ରାଜ୍‌ ବାହାଦୁର ସିଂ ଏବଂ ରମାକାନ୍ତ ଭାର୍ଗବଙ୍କୁ ପ୍ରାର୍ଥୀ କରିଛି। ୨୦୧୪ରେ ସୁଷମା ସ୍ବରାଜ ବିଦିଶା ଆସନରୁ ଜିତିଥିଲେ। ଏଥର ସେ ସ୍ବାସ୍ଥ୍ୟଗତ କାରଣରୁ ନିର୍ବାଚନ ଲଢ଼ିବେନି ବୋଲି ପୂର୍ବରୁ ଘୋଷଣା କରିଥିଲେ।

Share