ସାନବାବୁଙ୍କ ସଂରକ୍ଷଣ ନିୟମ

କମଳାକାନ୍ତ ଜେନା

ସୁନ୍ଦରଗଡ଼ କଲେଜରେ ଅଧ୍ୟାପନା କରିବା ସମୟରେ ସାନବାବୁ ମତେ ପଚାରିଲେ, ”ଆପଣ ଶକ୍ତି ସଂରକ୍ଷଣ ନିୟମ ପଢ଼ାନ୍ତି ପରା?“ ମୁଁ କହିଲି, ”ହଁ, କଞ୍ଜରଭେଶନ୍‌ ଅଫ୍‌ ଏନର୍ଜି। ପଦାର୍ଥ ବିଜ୍ଞାନର ଏହା ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ।“ ସେ କହିଲେ, ”ମୁଁ ତ ଆର୍ଟସ୍‌ ପଢୁଥିଲି। ଆପଣଙ୍କର ପାଠ ମୋ ମୁଣ୍ଡରେ ପଶିବନି। କିନ୍ତୁ ମୋର ବି ଗୋଟେ କଞ୍ଜରଭେଶନ୍‌ ନିୟମ ଅଛି, ଆପଣ ସହଜରେ ବୁଝିପାରିବେ।“ ମତେ ଲାଗିଲା, ସେ ମଜା କରୁଛନ୍ତି। ମୁଁ ହସିଦେଇ କହିଲି, ”ବଢ଼ିଆ କଥା।“ ତା’ପରେ ଆଗକୁ ବଢ଼ିଲି। ସେ ପଛରୁ ଡାକି କହିଲେ, ”ଆଜ୍ଞା, ମୋ ନିୟମଟା ନ ଶୁଣି ପଳେଇଗଲେ ଯେ?“ ମୁଁ ଫେରିଆସି ପଚାରିଲି, ”ସତରେ ନା ମଜା କରୁଛନ୍ତି? ଠିକ୍‌ ଅଛି, ତା’ହେଲେ ଆପଣଙ୍କ ସଂରକ୍ଷଣ ନିୟମଟା କୁହନ୍ତୁ।“
ସାନବାବୁ ପଚାରିଲେ, ”ଆପଣ ପଢ଼ିବା ସମୟରେ ବହୁତ ଲେଖୁଥିବେ ନିଶ୍ଚୟ?“ ମୁଁ କହିଲି, ”ହଁ, କ୍ଲାସ୍‌ରେ ସାର୍‌ଙ୍କ ପାଠ ଟିପିନିଏ। ତା’ ପରେ ଘରକୁ ଯାଇ ଗୋଟେ ଦୁଇଟା ବହିରେ ସେସବୁ ବିଷୟକୁ ପୁଣି ପଢ଼େ ଓ ନିଜର ନୋଟ୍‌ ଲେଖେ। ବହୁତ ଲେଖିଛି। କିନ୍ତୁ, ଆପଣ ଏକଥା କାହିଁକି ପଚାରିଲେ?“ ସେ କହିଲେ, ”ମୋ ନିୟମଟା ଠିକ୍‌ ଅଛିକି ନାହିଁ ପରୀକ୍ଷା କରୁଥିଲି।“ ମୁଁ ଆଗ୍ରହର ସହିତ ପଚାରିଲି, ”କ’ଣ ଦେଖିଲେ? ଆପଣଙ୍କ ନିୟମ ଠିକ୍‌ ଅଛି?“ ସେ ଟିକିଏ ରହିଯାଇ କହିଲେ, ”ହଁ, ଠିକ୍‌ ଅଛି।“ ପୁଣି ଉତ୍କଣ୍ଠାର ସହିତ ପଚାରିଲି, ”ଆଚ୍ଛା, ଆପଣଙ୍କ ନିୟମଟା ଏବେ କୁହନ୍ତୁ।“ସାନବାବୁ କହିଲେ, ”ମୁଁ ମାଟ୍ରିକ୍‌ ପରୀକ୍ଷା ଦେବା ପୂର୍ବରୁ ବାପା ଅନେକ ଥର କହିଥିଲେ ଯେ ମନ ଦେଇ ପାଠ ନ ପଢ଼ିଲେ ଜୀବନରେ ବଡ଼ ହୋଇପାରିବିନି। ହେଲେ ମୋର ପଢ଼ାରେ ଆଦୌ ମନ ଲାଗୁ ନ ଥିଲା। ତେଣୁ ବାପାଙ୍କର ସେମିତି କଥା ଶୁଣି ମତେ ବିରକ୍ତ ଲାଗୁଥିଲା। ମୁଁ ସବୁଦିନ ସ୍କୁଲ ଯାଉଥିଲି ସତ, କିନ୍ତୁ ଘରକୁ ଫେରିଲା ପରେ ପାଠକଥା ଭୁଲିଯାଉଥିଲି। ପୁଣି ପରଦିନ ସ୍କୁଲକୁ ଗଲେ ବହି ଖୋଲା ହେଉଥିଲା। ଶେଷରେ ମାଟ୍ରିକ୍‌ ପରୀକ୍ଷାରେ ତୃତୀୟ ଶ୍ରେଣୀରେ ପାସ୍‌ କଲି ଏବଂ କଲେଜରେ ଆର୍ଟସ୍‌ ପଢ଼ିଲି। ମୁଁ ଆର୍ଟସ୍‌ ପଢ଼ିଲି ବୋଲି ବାପାଙ୍କର ମନଟା ଭାଙ୍ଗିଗଲା। ଆର୍ଟସ୍‌ ପାଠକୁ ସହଜ ବୋଲି ଭାବି କଲେଜରେ ପାଠ ନ ପଢ଼ି ସାଙ୍ଗ ଧରି ବୁଲିଲି। ହେଲେ ପରୀକ୍ଷା ବେଳକୁ ବଡ଼ କଷ୍ଟ ପାଇଲି। ବହୁ କଷ୍ଟରେ ଆଇଏ ଓ ବିଏ ପାସ୍‌ କଲି। ବିଏ ପାସ୍‌ ସାର୍ଟିଫିକେଟ୍‌ ଧରି ଅନେକ ଦିନ ବେକାର ବୁଲିଲା ପରେ କଲେଜ ଅଫିସରେ ଏଇ ଚାକିରିଟା ପାଇଲି। ସେତେବେଳକୁ ବାପା ନ ଥିଲେ। ଏମିତି ମୋ ଜୀବନର ସଂଘର୍ଷ ଭିତରେ ମୁଁ ଗୋଟେ ନୂଆ ନିୟମ ଆବିଷ୍କାର କଲି।“
ମୁଁ ପଚାରିଲି, ”ଆଚ୍ଛା, କଞ୍ଜରଭେଶନ୍‌ ନିୟମ?“ ସେ କହିଲେ, ”ହଁ, ଲେଖିବା କାମରେ କଞ୍ଜରଭେଶନ୍‌।“ ମୁଁ ଆଶ୍ଚର୍ଯ୍ୟ ହେଲି। ସେ ବୁଝାଇଦେଲେ, ”ଯେଉଁମାନେ ପଢ଼ିବା ସମୟରେ ବହୁତ ଲେଖନ୍ତି, ସେମାନେ ବଡ଼ ହେଲେ ବଡ଼ ଚାକିରି କରନ୍ତି ଏବଂ କମ୍‌ ଲେଖନ୍ତି। କିନ୍ତୁ ଯେଉଁମାନେ ପଢ଼ିବା ସମୟରେ କମ୍‌ ଲେଖନ୍ତି, ସେମାନେ ଚାକିରି କଲେ ମୋ ପରି ବହୁତ ଲେଖନ୍ତି।“ ସାନବାବୁ ପୁଣି କହିଲେ, ”ଆଉ ଗୋଟେ ଛୋଟିଆ କଥା ବି ଶିଖିଛି। ଆପଣ ତାକୁ ଉପସିଦ୍ଧାନ୍ତ କହିପାରିବେ।“ ମୁଁ କହିଲି, ”ଆଚ୍ଛା, କରୋଲାରି (corollary)। ହଉ କୁହନ୍ତୁ।“
ସେ ବୁଝାଇଦେଲେ, ”ଯିଏ କଲେଜରେ ୭ ବର୍ଷ ସବୁ ଆମୋଦପ୍ରମୋଦଠାରୁ ଦୂରରେ ରହି କଷ୍ଟ କରି ପାଠ ପଢ଼ିବ, ସେ ୭୦ ବର୍ଷ ପର୍ଯ୍ୟନ୍ତ ଆରାମ କରିବ। ଆଉ ଯିଏ ସେହି ୭ ବର୍ଷ ପାଠ ନ ପଢ଼ି ଆରାମ କରିବ, ସେ ୭୦ ବର୍ଷ ପର୍ଯ୍ୟନ୍ତ କଷ୍ଟ ପାଉଥିବ।“ କହିଲି, ଆପଣଙ୍କ ନିୟମ ଓ ଉପସିଦ୍ଧାନ୍ତ ମୋ ମନକୁ ପାଇଲା। ପଚାରିଲି, କେବଳ ବହୁତ ଲେଖିଲେ କି ପଢ଼ିଲେ ଜଣେ ବଡ଼ମଣିଷ ହେଇଯିବ କି? ସେ କହିଲେ, ”ବଢ଼ିଆ କଥାଟେ ପଚାରିଲେ। ଲେଖ, ପଢ଼, ଯାହା କର, ନିଜର ନିଷ୍ଠା ଓ ଏକାଗ୍ରତା ନ ଥିଲେ କିଛି ହୋଇପାରିବନି। ମୁଁ ଲେଖୁ ନ ଥିଲି, କି ମୋ ପଢ଼ାରେ ନିଷ୍ଠା ଓ ଏକାଗ୍ରତା ନ ଥିଲା। ତେଣୁ ମୋ ବାପାଙ୍କ ସ୍ବପ୍ନକୁ ମୁଁ ସାକାର କରିପାରିଲି ନାହିଁ।“
ସାନବାବୁ ଠିକ୍‌ କହିଥିଲେ। ଖାଲି ପଢ଼ିଲେ କିମ୍ବା ଲେଖିଲେ ଜୀବନର ସ୍ବପ୍ନକୁ ସାକାର କରିହେବନି। ଯାହା ବି କର, ନିଷ୍ଠା ଓ ଏକାଗ୍ରତା ଜରୁରୀ। କର୍ତ୍ତବ୍ୟରେ ନିଷ୍ଠା ଓ ଏକାଗ୍ରତା ମଣିଷକୁ ଅମର କରେ। ଠିକ୍‌ ଯେମିତି ଗୁସ୍ତଭ୍‌ ଆଇଫଲ୍‌ଙ୍କୁ ଫ୍ରାନ୍ସର ଆଇଫଲ୍‌ ଟାଓ୍ବାର ଅମର କରିଦେଲା। ନକ୍‌ସାକାର ଗୁସ୍ତଭ୍‌ ୧୮୮୯ ମସିହାରେ ପ୍ୟାରିସରେ ପ୍ରସିଦ୍ଧ ବିଶ୍ୱ ପ୍ରଦର୍ଶନୀ ସକାଶେ ସାମୟିକ ଭାବରେ ପ୍ରବେଶଦ୍ୱାରରେ ଏକ ମିନାର ନିର୍ମାଣ କରିବାର ଦାୟିତ୍ୱ ନେଇଥିଲେ। କିନ୍ତୁ ତାହା ସାମୟିକ ହେଉ କି ସ୍ଥାୟୀ, ଗୁସ୍ତଭ୍‌ ସେହି ମିନାରକୁ ନିଷ୍ଠା ଓ ଏକାଗ୍ରତାର ସହିତ ଅଳଙ୍କୃତ କରୁଥିଲେ। ସମୟ ସହ ତାଳ ଦେଇ ଲୁହାର ସେହି ଜଟିଳ କୀର୍ତ୍ତି ମାତ୍ର ଦିନ କେଇଟା ପାଇଁ ମୁଣ୍ଡ ଟେକୁଥିଲା। ପ୍ରଦର୍ଶନୀ ଶେଷ ହେଲା। କିନ୍ତୁ ସୁଦୃଶ୍ୟ ମିନାର ସମଗ୍ର ଫ୍ରାନ୍ସ ପାଇଁ ପ୍ରତୀକ ଭାବରେ ସେମିତି ଛିଡ଼ା ହୋଇ ରହିଲା ଏବଂ ପୃଥିବୀର ଅଷ୍ଟମ ଆଶ୍ଚର୍ଯ୍ୟ ଭାବରେ ବର୍ଣ୍ଣିତ ହେଲା।
ସହକାରୀ ପ୍ରଫେସର, ଭଦ୍ରକ ଅଟୋନୋମସ
କଲେଜ, ଭଦ୍ରକ, ମୋ-୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ଅନେକ ଆଶା, ଭରସା

ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ, ଏଠି ବର୍ଷାର ଅଭାବ ନାହିଁ, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏଇ ପ୍ରଦେଶରେ ଖଣିଜ ସମ୍ପଦ ଅପର୍ଯ୍ୟାପ୍ତ ଏବଂ ଉପକୂଳବର୍ତ୍ତୀ ରାଜ୍ୟ...

ପ୍ରବାସୀ ଭାରତୀୟ ଦିବସ: ଓଡ଼ିଆଙ୍କ ପାଇଁ ସଂକଳ୍ପର ଦିବସ

ଏଥର ଓଡ଼ିଶାରେ ଅନୁଷ୍ଠିତ ହେଉଛି ପ୍ରବାସୀ ଭାରତୀୟ ଦିବସ। ଭାରତ ସରକାରଙ୍କ ବିଦେଶ ମନ୍ତ୍ରଣାଳୟର ଏହି ମହତ୍ୱାକାଂକ୍ଷୀ କାର୍ଯ୍ୟର ଉଦ୍ଦେଶ୍ୟ ବିଭିନ୍ନ ଦେଶରେ ରହୁଥିବା ଭାରତୀୟମାନଙ୍କୁ...

ଏକ ସଂଯୋଗ

ନିକଟରେ ନୂଆଦିଲ୍ଲୀରେ ସଚିବ ସ୍ତରୀୟ ଅଦଳବଦଳକୁ ନେଇ କେତେକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏହି ଅଦଳବଦଳର ଯୁକ୍ତିଯୁକ୍ତତା ପଛରେ ରହସ୍ୟ ରହିଛି। କିନ୍ତୁ ବର୍ତ୍ତମାନ ପାଇଁ ଆସନ୍ତୁ...

ଏଇ ଭାରତରେ

କୁହାଯାଏ ଜ୍ଞାନ ଅର୍ଜନ କରିବାର କୌଣସି ନିର୍ଦ୍ଦିଷ୍ଟ ବୟସ ନ ଥାଏ। ସେଥିପାଇଁ ତ ୮୧ ବର୍ଷ ବୟସରେ ବି ପୁଣି ଥରେ ପାଠ ପଢ଼ିବା...

ଓଲଟ ଗତି

ଜଣେ ବିଦେଶୀ ପର୍ଯ୍ୟଟକ ସକାଳୁ ସହରର ଏକ ଲଜିଂରୁ ରେଳଷ୍ଟେଶନକୁ ଚାଲିଚାଲି ଯାଉଥିଲେ ଓ ଦୁଇଟି ଓଜନିଆ ବ୍ୟାଗ୍‌ ଧରିଥିବାରୁ ଥକିପଡୁଥିଲେ। ସେହି ରାସ୍ତା ଦେଇ...

ମାକ୍ସୱେଲ୍‌ଙ୍କ ତରଙ୍ଗ ଓ ଆଲୋକ

ବ୍ରିଟିଶ ଗବେଷକ ସାର୍‌ ଆଇଜାକ୍‌ ନ୍ୟୁଟନ୍‌ ଆମ ଆଖପାଖରେ ଥିବା ବସ୍ତୁଗୁଡ଼ିକର ଗତିକୁ ନିର୍ଦ୍ଦିଷ୍ଟ ରୂପେ ମାପିବା ପାଇଁ ଗତିଶୀଳ ବସ୍ତୁର ଗତି ପଛରେ ନିହିତ...

ମୁଦ୍ରାସ୍ଫୀତି ଓ ଜଳବାୟୁ ସଙ୍କଟ

ବର୍ଷେ ଦୁଇ ବର୍ଷ ହେଲା ବୈଶ୍ୱିକ ମୁଦ୍ରାସ୍ଫୀତି ଯୋଗୁ ଖାଦ୍ୟ, ଶକ୍ତି ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଜିନିଷଗୁଡ଼ିକର ଅହେତୁକ ମୂଲ୍ୟ ବୃଦ୍ଧି ଘଟିଛି। ଫଳରେ ସାରା...

ବିବାହରେ ଅତିଥି

ବର୍ଷା ଋତୁ ନିଜର ଦାୟିତ୍ୱହୀନତା ପାଇଁ କୁଖ୍ୟାତ। ପାଣିପାଗ ବିଭାଗର ପୂର୍ବାନୁମାନ ସତ୍ତ୍ୱେ ବର୍ଷା ସମ୍ପୂର୍ଣ୍ଣ ନିଜ ଇଚ୍ଛାରେ ଚଳପ୍ରଚଳ। କେତେବେଳେ ସେ ଠିକ୍‌ ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri