Categories: ଖେଳ

ସାନିଆ, ଇଜହାନଙ୍କୁ ଭେଟିବାକୁ ସୋଏବଙ୍କୁ ଅନୁମିତି ଦେଲା ପିସିବି

ଲାହୋର, ୨୦।୬- ତିନୋଟି ଲେଖାଏ ଟେଷ୍ଟ ଓ ଟି୨୦ ମ୍ୟାଚ୍‌ ଖେଳିବାକୁ ଚଳିତ ମାସ ଶେଷ ଭାଗରେ ପାକିସ୍ତାନ କ୍ରିକେଟ୍‌ ଦଳ ଇଂଲଣ୍ଡ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଏଥିଲାଗି ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଦଳ ଘୋଷଣା କରିସାରିଛି। କିନ୍ତୁ ଖେଳାଳିଙ୍କ ସହ ସେମାନଙ୍କ ପରିବାରକୁ ସାଥୀରେ ନେବା ଲାଗି ପିସିବି ପ୍ରତିବନ୍ଧକ ଲଗାଇଛି। ତେବେ ଦଳରେ ସ୍ଥାନ ପାଇଥିବା ବରିଷ୍ଠ ଅଲ୍‌ରାଉଣ୍ଡର ସୋଏବ ମଲିକ ପ୍ରଥମେ ପରିବାର ସହ ସମୟ ଅତିବାହିତ କରି ପରେ ବିଳମ୍ବରେ ଇଂଲଣ୍ଡ ଗସ୍ତ କରିବାକୁ ପିସିବି ଅନୁମତି ଦେଇଛି। ରିପୋର୍ଟ ମୁତାବକ କରୋନା ଭାଇରସ ଲାଗି ମଲିକ ତାଙ୍କ ସ୍ତ୍ରୀ ତଥା ଭାରତୀୟ ଟେନିସ ଖେଳାଳି ସାନିଆ ମିର୍ଜା ଓ ପୁଅ ଇଜହାନଙ୍କୁ ୫ ମାସ ହେବ ଦେଖିନାହାନ୍ତି। ସାନିଆ ଓ ଇଜହାନ ବର୍ତ୍ତମାନ ଭାରତରେ ରହୁଛନ୍ତି। ସେହିଭଳି କରୋନା ଯୋଗୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ କଟକଣା ରହିଥିଲା। ତେଣୁ ପାକିସ୍ତାନର ସିଆଲକୋଟରେ ରହୁଥିବା ସୋଏବ ସ୍ତ୍ରୀ ଓ ପୁଅକୁ ଭେଟିପାରିନାହାନ୍ତି। ତେଣୁ ଗସ୍ତ ପୂର୍ବରୁ ପରିବାରକୁ ଭେଟିବାକୁ ସୋଏବ ପିସିବିକୁ ଅନୁମତି ମାଗିଥିଲେ। ପିସିବି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ୍ବାସିମ ଖାନ କହିଛନ୍ତି, ମାନବୀୟତା ଦୃଷ୍ଟିକୋଣରୁ ଆମେ ସୋଏମବଙ୍କ ଅନୁରୋଧକୁ ସମ୍ମାନ ଜଣାଇ ତାଙ୍କୁ ପରିବାର ସହ ଭେଟିବାକୁ ଅନୁମତି ଦେଉଛୁ। ସେହିଭଳି ଜୁଲାଇ ୨୪ରେ ସେ ଇଂଲଣ୍ଡରେ ପହଞ୍ଚତ୍ଲା ପରେ ସେଠାରେ କିପରି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିଲାଗି ଇଂଲଣ୍ଡ ଆଣ୍ଡ୍‌ ଓ୍ବେଲ୍ସ କ୍ରିକେଟ୍‌ ବୋର୍ଡ (ଇସିବି) ସହ କଥା ହୋଇଛୁ। ଏଠାରେ ଉଲ୍ଳେଖଯୋଗ୍ୟ, ପାକିସ୍ତାନ ଜୁନ୍‌ ୨୮ରେ ଇଂଲଣ୍ଡ ଗସ୍ତ କରିବ। ସେଠାରେ ପହଞ୍ଚତ୍ଲା ପରେ ସ୍ଥାନୀୟ ସରକାରଙ୍କ ନିୟମ ଅନୁଯାୟୀ ଖେଳାଳିମାନେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବ। ଏହି ସମୟ ମଧ୍ୟରେ ସେମାନେ ଅଭ୍ୟାସ କରିପାରିବେ ବୋଲି ଜଣାପଡ଼ିଛି।

Share