Categories: ଜାତୀୟ

ସାନିଟାଇଜର୍‌ର ବହୁଳ ବ୍ୟବହାର କ୍ଷତିକାରକ

ନୂଆଦିଲ୍ଲୀ, ୧୭।୩: ସାରା ବିଶ୍ୱରେ କରୋନା ଭାଇରସ ବ୍ୟାପିବାରେ ଲାଗିଛି। ଏ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଡାକ୍ତର ଏବଂ ବିଶେଷଜ୍ଞମାନେ ଆରମ୍ଭରୁ ସ୍ବଚ୍ଛତା ଏବଂ ରକ୍ଷଣାବେକ୍ଷଣ ଉପରେ ପରାମର୍ଶ ଦେଉଛନ୍ତି। ସର୍ବାଧିକ ସଂକ୍ରମଣ ବିସ୍ତାର ହେବାର ଆଶଙ୍କା ହାତରେ ଥିବାରୁ ବାରମ୍ବାର ସାବୁନରେ ହାତ ଧୋଇବାକୁ ପରାମର୍ଶ ଦିଆଯାଉଛି। ତେବେ ସବୁ ସ୍ଥାନରେ ହାତ ଧୋଇବା ସମ୍ଭବ ନୁହେଁ। ବିଶେଷକରି କର୍ମକ୍ଷେତ୍ରରେ କିମ୍ବା ଯାତ୍ରା ସମୟରେ। ଏଭଳି ପରିସ୍ଥିତିରେ ଲୋକମାନେ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରୁଛନ୍ତି। ମାତ୍ର ଏହାର ଅତ୍ୟଧିକ ବ୍ୟବହାର ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ହ୍ୟାଣ୍ଡ ସାନିଟାଇଜରର ବ୍ୟବହାର ଆମ ହାତରୁ ଜୀବାଣୁ ସଫାକରି ପାପୁଲିରେ ଏକ ଛୋଟ ସୁଗନ୍ଧ ଛାଡ଼ିଥାଏ। ମାତ୍ର ଏହାର ଅଧିକ ବ୍ୟବହାର ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।
ହ୍ୟାଣ୍ଡ ସାନିଟାଇଜରରେ ଟ୍ରାଇକ୍ଲୋସାନ ନାମକ ଏକ ରାସାୟନିକ ପଦାର୍ଥ ଥାଏ। ଏହା ଚର୍ମକୁ ଶୁଷ୍କ କରିଥାଏ। ଏହାର ଅଧିକ ବ୍ୟବହାର ଦ୍ୱାରା ରାସାୟନିକ ପଦାର୍ଥ ରକ୍ତରେ ମିଶିଥାଏ। ପରେ ଏହା ମାଂସପେଶୀର ନିୟନ୍ତ୍ରଣକୁ କ୍ଷତି ପହଞ୍ଚାଏ। ଏଥିରେ ବେନ୍‌ଜାଲକୋନିୟମ କ୍ଲୋରାଇଡ ମଧ୍ୟ ରହିଥାଏ। ଯାହା ହାତରେ ଜୀବାଣୁକୁ ବାହାର କରିଥାଏ। ମାତ୍ର ଏହାର ଅତ୍ୟଧିକ ବ୍ୟବହାର ଚର୍ମ ପାଇଁ ଭଲ ନୁହେଁ। ଏହାର ଅଧିକ ବ୍ୟବହାର ହାତ କୁଣ୍ଡେଇ ହେବା ଭଳି ସମସ୍ୟା ସୃଷ୍ଟି କରିଥାଏ। ସୁଗନ୍ଧ ପାଇଁ ସାନିଟାଇଜରରେ ଫଥାଲେଟ୍ସ ନାମକ ଏକ ରାସାୟନିକ ପଦାର୍ଥ ବ୍ୟବହୃତ ହୁଏ। ଏହାର ଅଧିକ ବ୍ୟବହାର କ୍ଷତିକାରକ ହେବା ସହ ଅତ୍ୟଧିକ ସୁଗନ୍ଧିତ ସାନିଟାଇଜର ଯକୃତ୍‌, କିଡ୍‌ନୀ, ଫୁସ୍‌ଫୁସ୍‌ ଏବଂ ପ୍ରଜନନ ତନ୍ତ୍ର ଉପରେ ପ୍ରଭାବ ପକାଇଥାଏ। ଅନେକ କମ୍ପାନୀର ସାନିଟାଇଜରରେ ମଦର ବ୍ୟବହାର କରାଯାଇଥାଏ। ଏଭଳି ସ୍ଥିତିରେ ଛୋଟପିଲାଙ୍କ ଏହାର ବ୍ୟବହାର କ୍ଷତି କାରକ ହୋଇଥାଏ। ଏହାକୁ ବ୍ୟବହାର କରି କିଛି ଖାଇବା ଫଳରେ ଏହା ପେଟକୁ ଯାଇଥାଏ। ଯାହା ରୋଗ ପ୍ରତିରୋଧକ ଶକ୍ତି ଉପରେ ଖରାପ ପ୍ରଭାବ ପକାଇଥାଏ।

Share