ସାନ ଭାଇର ଠେଙ୍ଗା ମାଡ଼ରେ ବଡ଼ ଗୁରୁତର

କୋରେଇ,୧୮ା୯(ସ୍ବ:ପ୍ର.): ପାଣିକୋଇଲି ଥାନା ଅନ୍ତର୍ଗତ ମୂଳାପାଳ ପଞ୍ଚାୟତ ଧନତ୍ରୀ ଗ୍ରାମରେ ମଙ୍ଗଳବାର ପାରିବାରିକ ଗଣ୍ଡଗୋଳ ଘଟିଛି। ଏଥିରେ ସାନଭାଇର ଠେଙ୍ଗା ମାଡ଼ରେ ବଡ଼ଭାଇ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ବଡ଼ଭାଇ ପଦ ମଲିକ ଥାନାରେ ପହଞ୍ଚତ୍ ଅଭିଯୋଗ କରିଥିଲେ। ଏ ନେଇ ପୋଲିସ ଏକ ମାମଲା (ନଂ. ୧୭୪/୧୯) ରୁଜୁ କରି ତଦନ୍ତ ଚଳାଇଛି। ଅଭିଯୋଗ ମୁତାବକ ବିଶ୍ୱକର୍ମା ପୂଜାକୁ କେନ୍ଦ୍ରକରି ସାନ ଭାଇ ସହଦେବ ତାର ଭାଉଜଙ୍କୁ ଗାଳିଗୁଲଜ କରିଥିଲେ। ଏହି ସମୟରେ ପଦ ପ୍ରତିବାଦ କରିବାରୁ ସହଦେବ ରାଗିଯାଇ ଜୀବନରୁ ମାରିଦେବାକୁ ଧମକ ଦେଇ ଏକ ଠେଙ୍ଗାରେ ପଦଙ୍କୁ ପିଟିଥିଲେ। ଫଳରେ ତାଙ୍କ ବାମ କାନ୍ଧ ଓ ଦୁଇ ଆଙ୍ଗୁଠି ଡାହାଣ ହାତ କହୁଣି ଫାଟି ଯାଇଥିଲା। ରକ୍ତାକ୍ତ ଅବସ୍ଥାରେ ପଦ ନିଜ ଜୀବନକୁ ବଞ୍ଚାଇବାକୁ ଥାନାକୁ ଆସି ଅଭିଯୋଗ କରିଥିଲେ।