ସାପକାମୁଡ଼ାରେ ମହିଳାଙ୍କ ଜୀବନ ଗଲା

ଗଞ୍ଜାମ,୬।୯(ଡି.ଏନ୍‌.ଏ.) : ଗଞ୍ଜାମ ଏନ୍‌ଏସିର ୬ ନଂ ଓ୍ବାର୍ଡ ବ୍ରାହ୍ମଣ ଢାମଣା ସାହିର ଜଣେ ମହିଳାଙ୍କୁ ବିଷାକ୍ତ ସାପ କାମୁଡ଼ି ଦେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେ ହେଲେ ସୁବାସିନି ବାଡ଼ତ୍ୟା(୫୩)। ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଭୋର୍‌ରୁ ସୁବାସିନି ଫୁଲ ତୋଳୁଥିବାବେଳେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ସଙ୍ଗେ ସଙ୍ଗେ ପରିବାର ଲୋକେ ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପାଇଁ ଛତ୍ରପୁର ମେଡିକାଲ ନିଆଯାଇଥିବା ପରିବାର ସୂତ୍ରରୁ ପ୍ରକାଶ। ସେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାବେଳେ ବଜାରରେ ପରିବା ବିକି ପରିବାର ପ୍ରତିପୋଷଣ କରୁଥିଲେ। ତେଣୁ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ପୂର୍ବତନ କାଉନସିଲର ଦଣ୍ଡପାଣି ପରିଡ଼ା ଦାବି କରିଛନ୍ତି।