ସାପ କାମୁଡ଼ାରେ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ମୃତ୍ୟୁ: ଡାକ୍ତରଖାନାରେ ଚିକିତ୍ସା ଅବହେଳା ଅଭିଯୋଗ

କେନ୍ଦୁଝର, ୧୯ା୮ (ସ୍ବ.ପ୍ର.)-ସଦର ବ୍ଲକ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅବହେଳା ଯୋଗୁ ଜଣେ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ମୃତ୍ୟୁ ହୋଇଛି ା ଏଭଳି ଅଭିଯୋଗ ପରିବାର ଲୋକ ତଥା ଅଙ୍ଗନଓ୍ବାଡ଼ି ସଂଘ ପକ୍ଷରୁ କରାଯାଇଛି ା ମୃତ ମହିଳାଙ୍କ ନାମ କାମିନୀ ମୁଣ୍ଡା (୩୧)। ତାଙ୍କ ଘର ବାଙ୍କମାରୁଣୀ ଗ୍ରାମରେ। ଏହି ଘଟଣାକୁ ନେଇ କର୍ମୀ ମାନେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ଘେରାଉ କରିଥିଲେ। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଅଙ୍ଗନଓ୍ବାଡି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ା ଏହି ଘଟଣାକୁ ନେଇ ବୈଶାଖୁ ପଳାଶପଙ୍ଗା ଫାଣ୍ଡିରେ ଲିଖିତ ଏତଲା ଦେଇଥିବା ଜଣାପଡିଛି। ପୋଲିସ ଘଟଣାର ଅଧିକ ଅନୁସନ୍ଧାନ କରୁଥିବା ବେଳେ ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।
ପ୍ରକାଶ ଯେ ଶୁକ୍ରବାର ରାତିରେ କାମିନୀ ତାଙ୍କ ସ୍ବାମୀ ବୈଶାଖୁ ମୁଣ୍ଡାଙ୍କ ସହିତ ଘରୁ ପଦାକୁ ବାହାରିଥିବା ବେଳେ ବର୍ଷାପାଗରେ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। ଘରକୁ ଫେରିବା ପରେ କାମିନୀଙ୍କ ମୁଣ୍ଡ ବୁଲାଇଥିଲା। ତାଙ୍କ ସ୍ବାମୀ ତାଙ୍କୁ ସ୍ଥାନୀୟ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ ା ସେଠାରେ ତାଙ୍କୁ ଜଣେ ଡାକ୍ତର ଆଡମିଶନ କରିଥିଲେ। ପରେ କିଛି ହୋଇ ନାହିଁ ବୋଲି କହି କିଛି ଔଷଧ ଦେଇ ଘରକୁ ପଠାଇଦେଇଥିଲେ। ଘରେ ପହଞ୍ଚିବା ପରେ ତାଙ୍କର ମୁଣ୍ଡ ବିନ୍ଧା ଅସହ୍ୟ ହୋଇ ଗୁରୁତର ହୋଇ ପଡିବାରୁ ଏକ ଗାଡି କରି କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ତାଙ୍କ ସ୍ବାମୀ ନେଇଥିଲେ ା ସେଠାରେ ଡାକ୍ତର ଦେଖିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଶନିବାର ପଳାଶପଙ୍ଗା ଫାଣ୍ଡି ପୋଲିସ ଅଧିକାରୀ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ସେଠାରେ ଚିକିତ୍ସା କରିଥିବା ଡାକ୍ତରଙ୍କ ଖାମଖିଆଲ ମନୋଭାବ ଯୋଗୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ନ ପଠାଇ ଘରକୁ ପଠାଇଦେବାରୁ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା। ତେବେ ବିଳମ୍ବରେ ଜିଲା ମୁଖ୍ୟ ଡାକ୍ତରଖାନା ନିଆଯାଇଥିଲା ବୋଲି ବିଏମସି ସମ୍ପାଦକ ଡାକ୍ତର ମହାନ୍ତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।