ସାବଧାନ କରୋନା ସୁପର ସ୍ପ୍ରେଡର ହୋଇପାରନ୍ତି ଷ୍ଟେରୋଏଡ୍‌ ନେଇଥିବା ବ୍ୟକ୍ତି !

ନୂଆଦିଲ୍ଲୀ,୧୫।୪: କରୋନା ସଂକ୍ରମଣ ନେଇ ବେଳେବେଳେ କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥାଏ। ସମ୍ପୃକ୍ତ ବ୍ୟକ୍ତିଙ୍କ ନମୁନା ପରୀକ୍ଷା ନେଗେଟିଭ୍‌ ଆସିଥାଏ। ମାତ୍ର ତାଙ୍କ ଶରୀରରେ କରୋନା ଭୂତାଣୁ ରହିଥାଏ। ସେ ଅଜାଣତରେ ସୁପର ସ୍ପ୍ରେଡର ପାଲଟି ଯାଇଥାନ୍ତି। ଷ୍ଟେରୋଏଡ୍‌ ନେଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଘଟିଥାଏ ବୋଲି ସମ୍ପ୍ରତି ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଏନେଇ କ୍ଲିନିକାଲ ଇମ୍ୟୁନୋଲୋଜି ମେଡିକାଲ ପତ୍ରିକାରେ ଏକ ରିପୋର୍ଟ ପ୍ରକାଶ ପାଇଛି। ୪୭ ବର୍ଷ ବୟସ୍କା ଜଣେ ମହିଳା ଦୀର୍ଘ ସମୟ ଧରି ଇମ୍ୟୁନୋ ସପ୍ରେସିଭ୍‌ ଗ୍ଲୁକୋକାଟିକ୍ୱାଡସ୍‌ ନେଉଥିଲେ। କରୋନା ସନ୍ଦିଗ୍ଧ ଭାବେ ତାଙ୍କର ନମୁନା ମଧ୍ୟ ପରୀକ୍ଷା ହୋଇଥିଲା। ତେବେ ଏହା ନେଗେଟିଭ୍‌ ଆସିଥିଲା। ତାଙ୍କୁ କ୍ୱାରାଣ୍ଟାଇନ୍‌ ମଧ୍ୟ କରାଯାଇଥିଲା। ଏହାପରେ ତାଙ୍କୁ ଘରକୁ ପଠାଯାଇଥିଲା। ଏହି ସମୟ ମଧ୍ୟରେ ସେ ପିତା ଏବଂ ଭଉଣୀ ଭାଇ ତଥା ଅନ୍ୟ ସମ୍ପର୍କୀୟଙ୍କୁ ଭେଟିଥିଲେ। ଲକ୍ଷଣ ପ୍ରକାଶ ପାଉ ନ ଥିଲେ ମଧ୍ୟ ସେ କରୋନାର ସୁପର ସ୍ପ୍ରେଡର ପାଲଟିଥିଲେ। ୪୦ ଦିନ ପରେ ତାଙ୍କ ନମୁନା ପରୀକ୍ଷା କରୋନା ପଜିଟିଭ୍‌ ଆସିଥିବା ରିପୋର୍ଟରେ ଦର୍ଶାଯାଇଛି।

Share