Categories: ଜାତୀୟ

ସାବରିମାଳା ମନ୍ଦିରରେ ମହିଳାଙ୍କ ଉପରକୁ ଲଙ୍କା ପାଉଡର ସ୍ପ୍ରେ କଲେ ଯୁବକ

ଥିରୁଭନନ୍ତପୁରମ,୨୬।୧୧: କେରଳର ସାବରିମାଳା ମନ୍ଦିରରେ ଜଣେ ମହିଳାଙ୍କ ଲଙ୍କା ପାଉଡର ସ୍ପ୍ରେ କରାଯାଇଛି। ମନ୍ଦିରରେ ମହିଳାଙ୍କ ପ୍ରବେଶ ଅଧିକାର ଉପରେ ଲଢୁଥିବା ବିନ୍ଦୁ ଅମିନିଙ୍କ ଉପରେ ମଙ୍ଗଳବାର ଜଣେ ଯୁବକ ଲଙ୍କା ପାଉଡର ସ୍ପ୍ରେ କରିଥିଲେ। ପୋଲିସ କମିଶନର ଅଫିସ୍‌ ପାଖରେ ଏଭଳି ଘଟଣା ଘଟିଛି। ଚଳିତବର୍ଷ ଆରମ୍ଭରେ ବିନ୍ଦୁ ଅନ୍ୟ ଜଣେ ମହିଳାଙ୍କ ସହ ମନ୍ଦିର ପ୍ରବେଶ କରି ଭଗବାନ ଆୟପ୍ପାଙ୍କୁ ଦର୍ଶକନ କରିଥିଲେ। ମଙ୍ଗଳବାର ବିନ୍ଦୁ କାରରୁ ଓହ୍ଲାଇବା ମାତ୍ରେ ସେଠାରେ ଜଣେ ଗେରୁଆ ଧୋତି ପିନ୍ଧି ଯୁବକ ଜଣଙ୍କ ଲଙ୍କା ପାଉଡର ସ୍ପ୍ରେ କରି ସେଠାରୁ ପଳାଇଥିଲେ। ପୋଲିସ ଉକ୍ତ ବ୍ୟକ୍ତି ଧରିବାରେ ସଫଳ ହୋଇଛି। ତାଙ୍କ ନାମ ଶ୍ରୀନାଥ ପଦ୍ମନାଭନ(୨୮)। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ଗତ ନଭେମ୍ବର ୧୬ରୁ ଖୋଲିଛି ସାବରିମାଳା ମନ୍ଦିର। ମଣ୍ଡଳ ପୂଜା ପାଇଁ ୪୧ ଦିନ ପର୍ଯ୍ୟନ୍ତ ମନ୍ଦିର ଖୋଲାଯାଇଛି। ସେପଟେ ପ୍ରଥମ ଦିନ ଦର୍ଶନ ପାଇଁ ଆସିଥିବା ୧୦ ଜଣ ମହିଳାଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ପୋଲିସ ପକ୍ଷରୁ ବାରଣ କରିଥିଲା। ସୁରକ୍ଷା ଦୃଷ୍ଟିରୁ ମନ୍ଦିରରେ ୧୦ ହଜାର ଫୋର୍ସ ମୁତୟନ କରାଯାଇଛି। ସାବରିମାଳା ମନ୍ଦିରରେ ୧୦ରୁ ୫୦ ବର୍ଷ ବୟସର ମହିଳାଙ୍କ ପ୍ରବେଶ ଉପରେ କଟକଣା ରହିଛି। ଗତ ୧୪ ତାରିଖ ଏହା ବିରୋଧରେ ଦାଖଲ ରିଭ୍ୟୁ ପିଟସନକୁ ବୃହତ୍ତର ଖଣ୍ଡପୀଠକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲେ ସୁପ୍ରିମକୋର୍ଟ। ବୃହତ୍ତର ବେଞ୍ଚ ରାୟ ଆସିବା ଯାଏ ଆୟପ୍ପା ମନ୍ଦିରରେ ସବୁ ବୟସର ମହିଳାମାନେ ପ୍ରବେଶ କରିପାରିବେ ବୋଲି ରାୟ ଦେଇଥିଲେ କୋର୍ଟ।

Share