Categories: ଖେଳ

ସାବାଲେଙ୍କା, ଶେଲ୍‌ଟନ କ୍ୱାର୍ଟରଫାଇନାଲରେ

ମେଲବୋର୍ନ, ୨୪ା୧ : ପଞ୍ଚମ ସିଡ୍‌ ଆରିନା ସାବାଲେଙ୍କା ପ୍ରଥମ ଥର ଅଷ୍ଟ୍ରେଲିଆନ ଓପନ ମହିଳା ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ସୋମବାର ସେ ବେଲିଣ୍ଡା ବେନ୍‌ସିକ୍‌ଙ୍କୁ ୭-୫, ୬-୨ ସେଟ୍‌ରେ ହରାଇ ଦେଇଛନ୍ତି। ପୁରୁଷ ସିଙ୍ଗଲ୍ସରେ ଅଷ୍ଟ୍ରେଲିଆନ ଓପନରେ ପ୍ରଥମ ପଦାର୍ପଣରେ ପ୍ରଭାବୀ ପ୍ରଦର୍ଶନ ସହ ବେନ୍‌ ଶେଲଟନ କ୍ୱାର୍ଟରଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଫ୍ଲେରିଡା ୟୁନିଭର୍ସିଟିର ଏହି ୨୦ବର୍ଷୀୟ ଏହି ଏନ୍‌ସିଏଏ ଚାମ୍ପିୟନ ଏକ ଅଲ୍‌ ଆମେରିକାନ୍‌ ମୁକାବିଲାରେ ଜେ.ଜେ. ଓଫ୍‌ଙ୍କୁ ୬-୭ (୫), ୬-୨, ୬-୭ (୪), ୭-୬ (୪), ୬-୨ରେ ହରାଇ ଦେଇଛନ୍ତି। ଶେଲ୍‌ଟନ ତାଙ୍କର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଖେଳୁଛନ୍ତି। ତାଙ୍କ ଜୀବନରେ ଏହାହେଉଛି ପ୍ରଥମ ବିଦେଶ ଗସ୍ତ। ବର୍ତ୍ତମାନ ସେ ସେବାଷ୍ଟିଆନ କୋର୍ଡାଙ୍କ ସହ ଯୋଗ ଦେଇଛନ୍ତି। ୨୦୦୭ ପରେ ପ୍ରଥମ ଥର ଆମେରିକାର ଦୁଇଜଣ ଖେଳାଳି କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ରଡ୍‌ ଲାଭର ଆରେନାରେ ୫ମ ସିଡ୍‌ ତଥା ରୁଷିଆର ଆନ୍ଦ୍ରେ ରୁବ୍ଲେଭ ଏକ ୫ ସେଟ୍‌ ବିଶିଷ୍ଟ ମ୍ୟାଚରେ ବିଜୟ ହାସଲ କରି କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ସେ ହୋଲ୍‌ଗର ରୁନ୍‌ଭ୍କୁ ୬-୩, ୩-୬, ୬-୩, ୪-୬, ୭-୬ (୧୧-୭)ରେ ପରାସ୍ତ କରିଛନ୍ତି। ରୁବ୍ଲେଭ କ୍ୱାର୍ଟରଫାଇନାଲରେ ୨୧ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ନୋଭାକ ଜୋକୋଭିଚ୍‌ କିମ୍ବା ଅଷ୍ଟ୍ରେଲିଆର ଆଲେକ୍ସ ଡି’ ମିନାଉର୍‌ଙ୍କୁ ଭେଟିପାରନ୍ତି। ୩୧ ବର୍ଷୀୟା ମାଗ୍‌ଡା ଲିନେଟ ମହିଳା କ୍ୱାର୍ଟରଫାଇନାଲରେ ୩୦ଥର ପ୍ରଚେଷ୍ଟାରେ ପ୍ରଥମ ଥର ଏକ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ସେ ବର୍ତ୍ତମାନ କାରୋଲିନା ପ୍ଲିସ୍‌କୋଭାଙ୍କୁ ଭେଟିବାକୁଥିବା ବେଳେ ଅନ୍ୟ ଏକ ମ୍ୟାଚ ଆରିନା ସାବାଲେଙ୍କା ଓ ଡୋନା ଭେକିକ୍‌ଙ୍କ ମଧ୍ୟରେ ଖେଳାଯିବ।

Share