ସାବିତ୍ରୀଙ୍କ ପ୍ରଶ୍ନ: ୭୫ ହେଲାଣି, କୋଉ ବୟସରେ ମିଳିବ ଆବାସ

କୁନ୍ଦୁରା,୨୨ା୮(ଡି.ଏନ୍‌.ଏ.): ବୟସ ପ୍ରାୟ ୭୫ ପାଖାପାଖି । ଚାଲିବାକୁ ଅସମର୍ଥ ହୋଇପଡିଥିବା ସତ୍ତ୍ୱେ ଜୀବନ ଯୁଦ୍ଧରେ ହାରି ନ ଯାଇ ଧଇଁସଇଁ ହୋଇ ବଞ୍ଚତ୍ଛନ୍ତି, ଚାଲିଛନ୍ତି ସାବିତ୍ରୀ। କୋରାପୁଟ ଜିଲା କୁନ୍ଦୁରା ବ୍ଲକ ନବଗଠିତ ପଖନାଗୁଡା ସଦର ମହକୁମାର ସାବିତ୍ରୀ ବିଷୋୟୀ। ଭଙ୍ଗାରୁଜା ଅବସ୍ଥାରେ ରହିଥିବା ଏକ ନୁଆଣିଆ ଚାଳଘରେ ଦୀର୍ଘ ଦୁଇ ଦଶନ୍ଧି ଧରି ସେ ରହି ଆସୁଛନ୍ତି। ଖାଇଲୁ କି ବୋଲି ପଚାରିବା ପାଇଁ କେହି ନାହାନ୍ତି। ସାବିତ୍ରୀ ବର୍ତ୍ତମାନ ଏକାକୀ ଅସହାୟ ଅବସ୍ଥାରେ ରହୁଥିବା ବେଳେ ନିଜେ ଖଟିଲେ ପେଟକୁ ଖାଇବା ଯାଉଛି। ବ୍ଲକ ପ୍ରଶାସନ, ପଞ୍ଚାୟତ, ସରପଞ୍ଚ ସମସ୍ତେ ତାଙ୍କୁ ଉପରଠାଉରିଆ ସମବେଦନ, ପ୍ରତିଶ୍ରୁତି ଦେଇଚାଲିଛନ୍ତି।
କୁନ୍ଦୁରା ବ୍ଲକ ବାଣୁଆଗୁଡ଼ା ପଞ୍ଚାୟତରେ ସାବିତ୍ରୀ ବିବାହ କରିଥିବା ବେଳେ ସ୍ବାମୀଙ୍କ ମୃତ୍ୟୁ ପରେ ସେ ପଖନାଗୁଡ଼ାଠାରେ ୪୦ ବର୍ଷରୁ ଊର୍ଦ୍ଧ୍ୱ ହେବ ରହୁଥିବା ଗ୍ରାମର ମୁଖିଆ ନରେନ୍ଦ୍ର ପ୍ରଧାନ କହିଛନ୍ତି। ବାଲ୍ୟ ଅବସ୍ଥାରେ ବିଧବା ହୋଇଥିବା ବେଳେ ନିଜର ବୋଲି ଆଉ କେହି ନାହାନ୍ତି। ସାହି ପଡୋଶୀଙ୍କ ଆଶାରେ ଜୀବନ ବିତାଉଛନ୍ତି ସାବିତ୍ରୀ। ଗତବର୍ଷ ଶୀତଦିନେ ଘରେ ଶୋଇଥିବା ବେଳେ ଚାଳଘରେ ନିଆଁ ଲାଗିଯାଇଥିଲା। ଜୀବନ ବର୍ତ୍ତିଗଲା ସତ, କିନ୍ତୁ ଗୋଟିଏ ଗୋଡ଼ ପୋଡିଯିବାରୁ ଭିନ୍ନକ୍ଷମ ପାଲଟି ଯାଇଛନ୍ତି ସାବିତ୍ରୀ। ସରକାରଙ୍କ ଯୋଜନା ମୁତାବକ ବାର୍ଦ୍ଧକ୍ୟ ଭତ୍ତା ୫ଶହ ଟଙ୍କା ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୫ କେଜି ଚାଉଳ। ଏତିକିରେ ସେ ଜୀବନ କାଟୁଛନ୍ତି। ୨୦୧୧ ସର୍ବେକ୍ଷଣ ଅନୁଯାୟୀ ଏସିସିସି ତାଲିକାରେ ନାମ ନ ଥିବା ଯୋଗୁ ସେ ଆବାସ ଯୋଜନାରୁ ବଞ୍ଚତ୍ତ ରହୁଥିବା ସ୍ବୀକାର କରିଛି ପ୍ରଶାସନ। ଖାଲି ସେତିକି ନୁହେଁ ଏସିସିସି ତାଲିକାରେ ସାଧାରଣ, ଏସ୍‌ସି, ଏସ୍‌ଟିଙ୍କୁ ସ୍ଥାନିତ କରିବାରେ ତ୍ରୁଟି ରହିଥିବା ଯୋଗୁ ସାବିତ୍ରୀଙ୍କୁ ମଧ୍ୟ ଏହାର ଫଳ ଭୋଗିବାକୁ ପଡୁଛି। ଏଭଳି ତ୍ରୁଟିକୁ ବ୍ଲକ ପ୍ରଶାସନ ଜଣାଇଥିଲେ ଜିଲାପାଳ କିମ୍ବା ପ୍ରକଳ୍ପ ନିର୍ଦ୍ଦେଶକ ଏହାର ସଂଶୋଧନ କରିପାରିଥାନ୍ତେ। କିନ୍ତୁ ବ୍ଲକ ପ୍ରଶାସନର ଚରମ ଅବହେଳା ଯୋଗୁ ସାବିତ୍ରୀଙ୍କ ଭଳି ଅନେକ ଗରିବ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚତ୍ତ ରହୁଛନ୍ତି।