ସାମାଜିକ ଉତ୍ସବ ନେଇ ପ୍ରଦୂଷଣ ଚିନ୍ତା: ଏନ୍‌ଜିଟିଙ୍କ ଉଦ୍‌ବେଗ

ଭୁବନେଶ୍ୱର,୨୭ା୧୨(ବ୍ୟୁରୋ): ବିବାହ, ବ୍ରତ, ଜନ୍ମ ଦିନ ସମାରୋହ, ମେଳା ମହୋତ୍ସବ ଆଦି ସାମାଜିକ କାର୍ଯ୍ୟକ୍ରମ ବେଳେ ଶବ୍ଦ ପ୍ରଦୂଷଣଠାରୁ ଆରମ୍ଭ କରି ବାୟୁ, ଜଳ, ମାଟି ଆଦି ପ୍ରଦୂଷଣ ହେଉଛି। ଏହା ଉପରେ କାହାର ନଜର ରହୁ ନାହିଁ। ଏଭଳି ପ୍ରଦୂଷଣକୁ ନେଇ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି) ଉଦ୍‌ବେଗ ପ୍ରକାଶ କରିଛନ୍ତି। ସାମାଜିକ କାର୍ଯ୍ୟକ୍ରମ ବେଳେ ପ୍ରଦୂଷଣକୁ ରୋକିବାକୁ ସରକାର କି ପଦକ୍ଷେପ ନେଇଛନ୍ତି ସେ ନେଇ ନିର୍ଦ୍ଧାରିତ ସମୟ ମଧ୍ୟରେ ଜଣାଇବାକୁ ଏନଜିଟି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏ ନେଇ ଏକ ମାମଲାର ଶୁଣାଣି କରି ଜଷ୍ଟିସ ଏକେ ଗୋଏଲଙ୍କ ଅଧ୍ୟକ୍ଷତାରେ ଗଠିତ ଏନଜିଟିର ଏକ ୩ ଜଣିଆ ଖଣ୍ଡପୀଠ ସାମାଜିକ କାର୍ଯ୍ୟକ୍ରମ ବେଳେ ହେଉଥିବା ପ୍ରଦୂଷଣକୁ ଗୁରୁତ୍ୱର ସହ ନେବାକୁ ଏ ଦିଗରେ କାର୍ଯ୍ୟରତ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ ମହୋତ୍ସବ ବେଳେ ହେଉଥିବା ପ୍ରଦୂଷଣ ଅତ୍ୟନ୍ତ ଚିନ୍ତାଜନକ। ଡିଜେ ସେଟ, ମାଇକ, ଆତସବାଜିଗୁଡ଼ିକୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ଜାରି କରାଯାଇଥିବା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିବାହ ଓ ଅନ୍ୟାନ୍ୟ ଉତ୍ସବ ହେଉଥିବା ସ୍ଥାନଗୁଡ଼ିକରୁ ତଥ୍ୟ ସଂଗ୍ରହ କରିବାକୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ଏଥିସହିତ ପୌର ସଂସ୍ଥାଗୁଡ଼ିକ କଠିନ ବର୍ଜ୍ୟବସ୍ତୁ, ଭଗ୍ନାବଶେଷ ସଂଗ୍ରହ,ସ୍ବିରେଜ ପାଣି ଏବଂ ବର୍ଷା ଜଳ ସଂରକ୍ଷଣ ଆଦିକୁ ଗୁରୁତ୍ୱ ଦେବାକୁ ଏନଜିଟି ପରାମର୍ଶ ଦେଇଛନ୍ତି। ସ୍ଥାନୀୟ ପ୍ରଶାସନ ଯାନବାହନ ପାର୍କିଂ ବ୍ୟବସ୍ଥା କରିବାକୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ହୋଟେଲ, ବାଙ୍କୁଏଟ୍‌ ହଲ ଏବଂ ବିବାହ ମଣ୍ଡପଗୁଡ଼ିକ ଶବ୍ଦ ପ୍ରଦୂଷଣ ନିୟମ-୨୦୦୦ ଅନୁଯାୟୀ ଅନୁମତି ନେବାକୁ କୁହାଯାଇଛି। ଏଥିସହିତ ଗୁରୁତ୍ୱପୂର୍ଣ୍ଣ ବିଷୟରେ କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ଗାଇଡଲାଇନ ଜାରି କରିବାକୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି। ସାଧାରଣ ପରିବହନ ବ୍ୟବସ୍ଥାକୁ ଅଧିକ ଲୋକପ୍ରିୟ କରିବା ପାଇଁ ପଦକ୍ଷେପ ନେବା ସକାଶେ ପଦକ୍ଷେପ ନେବାକୁ ରାଜ୍ୟ ପରିବହନ ବିଭାଗକୁ ପରାମର୍ଶ ଦିଆଯାଇଛି।

Share