Categories: ମେଟ୍ରୋ

ସାମାଜିକ କର୍ମୀଙ୍କୁ ହେଲ୍‌ମେଟରେ ପିଟି ଖସିଗଲେ ଲୁଟେରା: ଚୋରି ବାଇକ, ଲୁଟ୍‌ ଭ୍ୟାନିଟି ପୋଲିସ ଜିମା

ଭୁବନେଶ୍ୱର, ୨୫ ।୪(ବ୍ୟୁରୋ)- ରାଜଧାନୀରେ ନିର୍ବାଚନକୁ ନେଇ ପୋଲିସ ମଙ୍ଗଳବାର ବ୍ୟସ୍ତଥିବାବେଳେ ଏପଟେ ରାସ୍ତା ଓ ବଜାରରେ ମାତିଥିଲେ ଲୁଟେରା। ତେବେ ଲୁଟେରା ଜଣକ ଏକ ଦମ୍ପତିଙ୍କଠାରୁ ଲୁଟ୍‌ କରି ପଳାଉଥିବାବେଳେ ୪ଜଣ ସାମାଜିକ କର୍ମୀ ଗୋଡ଼ାଇ କାବୁ କରିବା ଓ ଲୁଟେରା ଜଣକ ହେଲ୍‌ମେଟ୍‌ରେ ଆକ୍ରମଣ କରି ଖସିିଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଖାରବେଳନଗର ଥାନା ଅଞ୍ଚଳରେ ଘଟିଥିଲା ଏହି ଘଟଣା।   ରାଜସ୍ଥାନର ସୁଧାକର ରତ୍‌ଓ୍ବା ଖଣ୍ଡଗିରି ଅଞ୍ଚଳରେ ପରିବାର ସହ ରହିବା ରୁହନ୍ତି। ସେ ଏକ ଘରୋଇ କଲେଜର କର୍ମଚାରୀ। ମଙ୍ଗଳବାର ସନ୍ଧ୍ୟାରେ ସୁଧାକର ତାଙ୍କ ସ୍ତ୍ରୀ ଭାରତୀଙ୍କ ସହ ମାଷ୍ଟର କ୍ୟାଣ୍ଟିନସ୍ଥିତ ଏକ ଜୁଏଲାରୀ ଦୋକନକୁ ଆସିଥିଲେ। ସେଠାରୁ ବାହାରିବାପରେ ଲୁଟେରା ଜଣକ ଭାରତୀଙ୍କ ହାତରୁ ଭ୍ୟାନିଟି ବ୍ୟାଗ ଝାମ୍ପିନେଇ ଫେରାର ହୋଇଯାଉଥିଲେ। ଚିତ୍କାର ଶୁଣି ସେଠାରେ ଉପସ୍ଥିତ ଥିବା  ଫନିକ୍ସ ସେବାର ସଦସ୍ୟମାନେ ଦୁଇଟି ବାଇକରେ ଉକ୍ତ ଲୁଟେରାଙ୍କ ପିଛା କରିଥିଲେ। କିଛି ସମୟ ପରେ ସେମାନେ ଅତି ସାହସିକତାର ସହ ଉକ୍ତ ଲୁଟେରାଙ୍କୁ ଗୋଡାଇ ରବି ଟକିଜ ଛକ ନିକଟରେ କାବୁ କରିଥିଲେ। କିଛି ସମୟ ଧରି ଲୁଟେରାଙ୍କ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା। ଶେଷରେ ଲୁଟେରା ଜଣକ ପିନ୍ଧିଥିବା ହେଲ୍‌ମେଟ୍‌ରେ ଆକ୍ରମଣ କରିବା ସହ ନିଜ ବାଇକ୍‌ ଓ ଲୁଟ୍‌ ଭ୍ୟାନିଟ ବ୍ୟାଗ୍‌ ଛାଡ଼ି ଦୌଡ଼ିଥିଲେ।  ପରେ ସାମାଜିକ କର୍ମୀମାନେ ସେସବୁକୁ  ଆଣି ପୋଲିସ ଜିମା ଦେଇଛନ୍ତି। ଉକ୍ତ ବ୍ୟାଗରେ ନଗଦ ୪ ହଜାର ଟଙ୍କା, ନୂଆ ଅଳଙ୍କାର ଓ ଜରୁରୀ କାଗଜ ପତ୍ର ରହିଥିଲା।  ଏନେଇ ପୋଲିସ ୧୧୩/୧୯ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ତେବେ ଲୁଟେରା ଛାଡ଼ିଯାଇଥିବା ବାଇକଟି ମଧ୍ୟ ଚୋରି ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

Share