ବିଶ୍ୱ ଏନ୍ଜିଓ ଦିବସ ପ୍ରତିବର୍ଷ ୨୭ ଫେବୃୟାରୀରେ ପାଳନ କରାଯାଏ। ୨୦୧୦ରେ କାଉନ୍ସିଲ ଅଫ୍ ବାଲ୍ଟିକ ସି ଷ୍ଟେଟ୍ସ (ସିବିଏସ୍ଏସ୍)ର ୯ମ ବାଲ୍ଟିକ ସି ଏନ୍ଜିଓ ଫୋରମ୍ର ୧୨ ସଦସ୍ୟ ରାଷ୍ଟ୍ର ଦ୍ୱାରା ସରକାରୀ ସ୍ତରରେ ଏପ୍ରିଲ ୨୦୧୨ରେ ଏହି ଦିବସକୁ ମନ୍ୟତା ପ୍ରଦାନ କରାଯାଇଥିଲା । ଜର୍ମାନୀର ବର୍ଲିନ ସ୍ଥିତ ହମବୋଲ୍ଡଟ ବିଶ୍ୱବିଦ୍ୟାଳୟରେ ଏହିି ଫୋରମର ବୈଠକ ଅନୁଷ୍ଠିତ ହୋଇଥିଲା। ବାଲ୍ଟିକ ସି ଏନ୍ଜିଓ ଫୋରମ୍ର ସଦସ୍ୟ ରାଷ୍ଟ୍ର ବେଲାରୁଷ୍ ,ଡେନ୍ମାର୍କ,ଏଷ୍ଟୋନିଆ,ଫିନ୍ଲାଣ୍ଡ,ଜର୍ମାନୀ,ଆଇସ୍ଲ୍ୟାଣ୍ଡ,ଲାଟ୍ଭିୟା,ଲିଥୁଆନିଆ,ପୋଲାଣ୍ଡ, ରୁଷିଆ,ନରଓ୍ବେ ଓ ସ୍ବିଡେନ ରହିଥିଲେ। ୟୁରୋପୀୟ ସଂଘ ଓ ଜାତିସଂଘର ନେତୃବୃନ୍ଦ ତଥା ଆନ୍ତର୍ଜାତିକ ସଂଗଠନଗୁଡିକ ଦ୍ୱାରା ୨୭ ଫେବୃୟାରୀ,୨୦୧୪ରେ ଫିନ୍ଲାଣ୍ଡର ହେଲ୍ସିଙ୍କିରେ ପ୍ରଥମ ଥର ଏହାକୁ ପାଳନ କରାଯାଇଥିଲା। ଏହି ଦିବସକୁ ୨୭ ଫେବୃୟାରୀରେ ବ୍ରିଟେନ୍ର ମାନବବାଦୀ ମାର୍କିସ ଲିଓର୍ସ ସ୍କାଡ୍ମାନିସ ପ୍ରତିଷ୍ଠା କରିଥିଲେ।
ଏନ୍ଜିଓରେ ସକ୍ରିୟ ଭାବେ ସାମିଲ ହେବା ଏବଂ ସମାଜ ଓ ବ୍ୟକ୍ତଗତ ଜୀବନ ମଧ୍ୟରେ ଅଧିକ ସମନ୍ବୟ ପ୍ରତିଷ୍ଠା କରିବାକୁ ପ୍ରୋତ୍ସାହିତ କରିବା ବିଶ୍ୱ ଏନ୍ଜିଓ ଦିବସର ମୁଖ୍ୟ ଉଦ୍ଦେଶ୍ୟ। ପରସ୍ପର ମଧ୍ୟରେ ଜ୍ଞାନ ଓ ଅନୁଭବ ଆଦାନ ପ୍ରଦାନ ଲାଗି ଏହି ଦିବସରେ ସୁଯୋଗ ମିଳେ। ଏନଜିଓର ସମାଜରେ କ’ଣ ପ୍ରଭାବ ରହିଛି ସେ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଯାଏ। ଏହି ଅବସରରେ ଏନ୍ଜିଓ ପ୍ରତିଷ୍ଠାତା,କର୍ମଚାରୀ,ସ୍ବୟଂସେବକ, ସଦସ୍ୟ ଓ ସମର୍ଥକଙ୍କୁ ମନେପକାଇବା ସହ ସମ୍ମାନିତ କରାଯାଏ। ୨୦୧୦ରୁ ୨୦୧୯ ମଧ୍ୟରେ ବିଶ୍ୱ ଏନ୍ଜିଓ ଦିବସ ବିଶ୍ୱର ପ୍ରାୟ ୯୬ ଟି ଦେଶରେ ପାଳନ କରାଯିବା ଦେଖାଯାଇଛି। ସାମାଜିକ , ଅର୍ଥନୈତିକ , ପରିବେଶ, ମାନବିକ ଅଧିକାର ଆଦି କ୍ଷେତ୍ରରେ ବିକାଶ ଆଣିବା ତଥା ଲୋକମାନଙ୍କର ଏହି କ୍ଷେତ୍ରରେ ଯୋଗଦାନକୁ ପ୍ରୋତ୍ସାହିତ କରିବାରେ ଏନ୍ଜିଓର ଭୂମିକା ଯଥେଷ୍ଟ ରହିଛି। ଏଣୁ ବିଭିନ୍ନ କ୍ଷେତ୍ରରେ ଏନଜିଓର କାର୍ଯ୍ୟ ପରିସରକୁ ଆହୁରି ବ୍ୟାପକ କରିବା ଲାଗି ଏହି ଦିବସ ଆହ୍ବାନ ଦିଏ।