ସାମାଜିକ ଦୁରତ୍ୱ ପାଳନ ନ କଲେ ଦୋକାନ ହେବ ସିଲ୍‌

ବାରିପଦା ଅଫିସ,୬ା୪: ମୟୂରଭଞ୍ଜ ଜିଲାରେ ଥିବା ସମସ୍ତ ମାର୍କେଟ ଓ ଦୋକାନଗୁଡ଼ିକ ସାମଜିକ ଦୂରତ୍ୱ ପାଳନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଯଦି କେହି ଏହାକୁ ପାଳନ ନ କରନ୍ତି ତାହେଲେ ପୋଲିସ ଦୋକାନୀଙ୍କ ନାମରେ ମାମଲା ରୁଜୁ କରିବା ସହିତ ଦୋକାନକୁ ସିଲ୍‌ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଯେ, ବିଭିନ୍ନ ସମୟରେ ମାର୍କେଟଠାରୁ ଆରମ୍ଭ କରି ଦୋକାନଗୁଡ଼ିକରେ ଜିନିଷ ପତ୍ର କିଣିବା ବେଳେ ଲୋକେ ଭିଡ଼ ଜମାଉଛନ୍ତି। କୌଣସି ସ୍ଥାନରେ ସାମଜିକ ଦୂରତ୍ୱ ପାଳନ କରୁନାହାନ୍ତି। ଯାହା ଫଳରେ କରୋନା ଭାଇରସ୍‌ ସଂକ୍ରମଣ ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହିଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। କୌଣସି ଦୋକାନ କିମ୍ବା ମାର୍କେଟରେ ଯଦି ସାମାଜିକ ଦୂରତ୍ୱ ପାଳନ କରାଯାଉ ନ ଥିବା ଦେଖିବାକୁ ମିଳେ ତେବେ ଉକ୍ତ ଦୋକାନକୁ ତୁରନ୍ତ ବନ୍ଦ କରାଯିବା ସହିତ ମାଲିକଙ୍କ ବିରୋଧରେ କାର୍ଯ୍ୟାନଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି।

Share