ସାମାଜିକ ଦୂରତା ଉଲ୍ଲଂଘନ: ୩ ଦୋକାନ ସିଲ୍‌ କଲା ପ୍ରଶାସନ

କେନ୍ଦୁଝର, ୧୪ା୪(ଡି.ଏନ୍‌.ଏ.)-କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ଆଗାମୀ ମେ’ ୩ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌କୁ ବୃଦ୍ଧି କରିଛନ୍ତି। ଲକ୍‌ଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନଗୁଡିକୁ ଏଥିରୁ ବାଦ୍‌ ଦିଆଯାଇଛି। ଗ୍ରୋଶରୀ ସାମଗ୍ରୀ କିଣିବା ସମୟରେ ଲୋକମାନେ ସାମାଜିକ ଦୂରତ୍ୱ ନ ରଖି କ୍ରୟ କରୁଛନ୍ତିି। ଦୋକାନୀମାନେ ମଧ୍ୟ ଜିନିଷ ବିକ୍ରି ସମୟରେ ଗ୍ରାହକଙ୍କୁ ସଚେତନ କରୁ ନ ଥିବା ଦେଖିବାକୁ ମିଳିଛି। ସୋମବାର ଅପରାହ୍ନରେ ଲକ୍‌ଡାଉନସ୍ଥିତି ଅନୁଧ୍ୟାନ କରିବାକୁ କେନ୍ଦୁଝର ଆରକ୍ଷୀ ଅଧୀକ୍ଷକ ମିତ୍ରଭାନୁ ମହାପାତ୍ର ସହରର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। ସହରର ସିରାଜୁଦ୍ଦିନ ଛକରେ ଗୋଟିଏ ଏବଂ କଲେଜ ରୋଡରେ ୨ଟି ଗ୍ରୋଶରୀ ଦୋକାନ ସାମାଜିକ ଦୂରତ୍ୱକୁ ଅବମାନନା କରି ଜିନିଷପତ୍ର ବିକ୍ରି କରୁଥିବା ତାଙ୍କ ଦୃଷ୍ଟିକୁ ଆସିବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସେହି ଦୋକାନଗୁଡିକୁ ସିଲ୍‌ କରାଯାଇଛି। ସାମାଜିକ ଦୂରତା ନ ମାନି ବ୍ୟବସାୟ କରୁଥିବା ଦୋକାନୀ ଏବଂ ମାଲିକଙ୍କ ବିରୋଧରେ ମାମଲା ରୁଜୁ କରି ଦୋକାନ ସିଲ୍‌ କରିବାକୁ ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ଦୋକାନ ସମ୍ମୁଖରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଦୋକାନ ସମ୍ମୁଖରେ ଗୋଲ ଚିହ୍ନ ମଧ୍ୟରେ ଛିଡା ହୋଇ ସାମଗ୍ରୀ ଓ ପନିପରିବା କିଣିବାକୁ କୁହାଯାଇଛି।

Share