ସାମାଜିକ ଦୂରତା ବଜାୟ ନ ରଖିବାରୁ ବୈଜ୍ଞାନିକ ଫର୍ଗୁସନ୍‌ଙ୍କୁ ଦେବାକୁ ପଡ଼ିଲା ଇସ୍ତଫା

ଲଣ୍ଡନ,୬।୫: ବ୍ରିଟେନ୍‌ରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ଏଠାରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସାଧାରଣ ଲୋକେ ସାମାଜିକ ଦୂରତା ବଜାୟ ରଖିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ତେବେ ଏପରିସ୍ଥଳେ ଏହି ନିଦ୍ଦେର୍ଶର ଉଲ୍ଲଂଘନ କରି ଦେଶର ବରିଷ୍ଠ ବୈଜ୍ଞାନିକ ପ୍ରଫେସର ନିଲ୍‌ ଫର୍ଗୁସନ୍‌ଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡ଼ିଛି। କରୋନା ମହାମାରୀ ରୋକିବା କ୍ଷେତ୍ରରେ ସେ ସରକାରଙ୍କ ପ୍ରମୁଖ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ପରାମର୍ଶକ୍ରମେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ଦେଶରେ ମାର୍ଚ୍ଚ ୨୩ଠାରୁ ଲକ୍‌ଡାଉନ୍‌ ଜାରି କରିଥିଲେ। ଗଣମାଧ୍ୟମ ସଂସ୍ଥା ଡେଲି ଟେଲିଗ୍ରାଫ୍‌ ଅନୁସାରେ ଫର୍ଗୁସନ୍‌ ଲକ୍‌ଡାଉନ୍‌ ସମୟରେ ଜଣେ ମହିଳାଙ୍କୁ ତାଙ୍କ ଘରକୁ ଆସିବାକୁ ଅନୁମତି ଦେଇଥିଲେ। ଫର୍ଗୁସନ୍‌ ନିଜର ଭୁଲ୍‌ ସ୍ବୀକାର କରିଛନ୍ତି। ସରକାର ସାମାଜିକ ଦୂରତା ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଜାରି କରିଥିବାବେଳେ ସେ ଏହାର ଉଲ୍ଲଂଘନ କରିଥିବାରୁ ଦୁଃଖ ପ୍ରକାଶ କରିଛନ୍ତି। ତେଣୁ ସେ ସାଇଣ୍ଟିଫିକ୍‌ ଆଡ଼ଭାଇଜରୀ ଗ୍ରୁପ୍‌ ଫର୍‌ ଏମ୍ରଜେନ୍ସିର ପଦବୀରୁ ହଟିବାକୁ ଇଛା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଫର୍ଗୁସନ୍‌ ସେଣ୍ଟର ଫର୍‌ ଗ୍ଲୋବାଲ ଇନଫେକସିୟସ୍‌ ଡିଜିଜ୍‌ ଆନାଲିସିସ୍‌ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ଫର୍ଗୁସନ୍‌ଙ୍କ ଏହି ସଂସ୍ଥା ଆମେରିକା ସରକାର ଏବଂ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନକୁ ଆବଶ୍ୟକ ପରାମର୍ଶ ଦେଇଥାଏ।

Share