ସାମାଜିକ ଦୂରତା ରକ୍ଷା କରି ରକ୍ତ ସଂଗ୍ରହ କଲେ ବ୍ଲଡ଼ ବ୍ୟାଙ୍କ କର୍ମଚାରୀ

ବାଲେଶ୍ୱର ଅଫିସ ୪।୪: ବିଶ୍ୱ ମହାମାରୀ କରୋନା ପାଇଁ ସମଗ୍ର ଦେଶରେ ଚାଲିଥିବା ଲକ ଡାଉନ ସମୟରେ ରକ୍ତଦାନ ଶିବିର ପାଇଁ ଅନୁମତି ନ ଥିବା ବେଳେ ସମଗ୍ର ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଦେଇଛି । ଏପରି ପରିସ୍ଥିତିରେ ବାଲେଶ୍ଵରର ଏକ ସାମାଜିକ ସଙ୍ଗଠନକୁ ଜିଲା ପ୍ରଶାସନ ଏବଂ ଜିଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ରକ୍ତ ସଂଗ୍ରହ ପାଇଁ ଅନୁମତି ମିଳିଥିଲା । ଲକ୍ ଡାଉନ୍ ସମୟରେ କରୋନା ସଂକ୍ରମଣ ନ ହେବା ପାଇଁ ସାମାଜିକ ଦୂରତାକୁ ବଳବତ୍ତର ରଖି ପ୍ରତିଦିନ ସର୍ବାଧିକ ୩୦ ୟୁନିଟ୍ ରକ୍ତ ସଂଗ୍ରହ ପାଇଁ ଆଦେଶ ଦିଆଯାଇଥିଲା । ସଙ୍ଗଠନର ମେଡିକାଲ କୋଅଡିନେଟର୍ ଉଦୟ ଭାନୁ ନାୟକଙ୍କ ତତ୍ତ୍ୱାବଧାନରେ ରେମୁଣା ବ୍ଲକର ମହାରାଜପୁର ପାଞ୍ଚାୟତ ମହାରାଜପୁର ଅଙ୍ଗନବାଡି କେନ୍ଦ୍ର-୧ରେ ଉକ୍ତ ଶିବିର ଶନିବାର ଅନୁଷ୍ଠିତ ହୋଇଥିଲା। ଗ୍ରାମର ବରିଷ୍ଠ ବ୍ୟକ୍ତି ରବିନ୍ଦ୍ର ମହାପାତ୍ର ଉକ୍ତ ଶିବିରକୁ ଉଦଘାଟନ କରିଥିଲେ। ସଙ୍ଗଠନ ପକ୍ଷରୁ ପ୍ରଥମେ ସାବୁନ ଦ୍ୱାରା ଭଲ ଭାବରେ ହାତ ଧୋଇବା ପାଇଁ ଦିଆଯିବା ପରେ ସାନିଟାଇଜରରେ ହାତ ସଫା କରିବା ପାଇଁ ଦିଆଯାଇଥିଲା।ସେହିପରି ସାମାଜିକ ଦୂରତା ରକ୍ଷା କରାଯିବାର ବ୍ୟବସ୍ଥା କରାଯାଇଥିଲା। ପରେ ବ୍ଲଡ ବ୍ୟାଙ୍କ ପକ୍ଷରୁ ଆସିଥିବା କର୍ମଚାରୀ ସାମାଜିକ ଦୂରତା ରକ୍ଷା କରି ରକ୍ତଦାତାମାନଙ୍କଠାରୁ ରକ୍ତ ସଂଗ୍ରହ କରିଥିଲେ। ଉକ୍ତ ଶିବିରରେ ୩୧ ଜଣ ରକ୍ତଦାନ କରିଥିଲେ।