ସାମାଜିକ ଦୂରତା, ସ୍ବଚ୍ଛତା ଅବଲମ୍ବନ ଜରୁରୀ

ବାଲେଶ୍ୱର ଅଫିସ, ୨୦।୪: ବାଲେଶ୍ୱର ଜିଲା କଂଗ୍ରେସ ପକ୍ଷରୁ ନଗର କଂଗ୍ରେସ କମିଟି ସଭାପତି ପଦ୍ମଲୋଚନ ଲେଙ୍କାଙ୍କ ନେତୃତ୍ୱରେ ଶନିବାର ମିର୍ଜାପୋଖରୀ ନିକଟବର୍ତ୍ତୀ ସାଇ ମନ୍ଦିର, ଗୋପାଳଗାଁ ଓ ମାଣିଖମ୍ବ, ସୁଏଲପୁର ଅନ୍ୟାନ୍ୟ ବସ୍ତିରେ ଶୁଖିଲା ଖାଦ୍ୟ ଓ ରାଶନ ଆକାରରେ ଅଟା, ଆଳୁ, ପିଆଜ, ବିଲାତି ଓ ବାଇଗଣ ଆଦି ପ୍ୟାକେଟ୍‌ କରାଯାଇ ବଣ୍ଟନ କରାଯାଇଛି। ସହରର ଲକ୍‌ଡାଉନ ଅଞ୍ଚଳରେ ପ୍ରାୟ ୧୫ଶହ ଗରିବ ଲୋକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି। ସମସ୍ତ ପ୍ରକାର ସତର୍କତା ସତ୍ତ୍ୱେ ଜିଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜନସାଧାରଣ ଚିନ୍ତିତ ହୋଇପଡ଼ିଛନ୍ତି। ଏହି ପରିସ୍ଥିତିରେ ଆମେ ଆତଙ୍କିତ ନ ହୋଇ ସଚେତନତା ଓ ସତର୍କତା ହେବା ଅଧିକ ଜରୁରୀ ବୋଲି ବାଲେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀର କଂଗ୍ରେସ ଏମ୍‌ପି ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ଜଣାଇଛନ୍ତି। ସେ କହିଛନ୍ତି କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଆମେ ସାମାଜିକ ଦୂରତା, ସ୍ବଚ୍ଛତାକୁ ଗୁରୁତ୍ୱ ଦେବା ଦରକାର। ଏଥିସହ ମୁହଁରେ ମାସ୍କ ପିନ୍ଧିବା ସହ ଭିଡ଼ ଜାଗାକୁ ନ ଯିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ପଟ୍ଟନାୟକଙ୍କ ପରାମର୍ଶ ମୁତାବକ ପ୍ରଦେଶ କଂଗ୍ରେସ କମିଟି ପୂର୍ବତନ ସାଧାରଣ ସମ୍ପାଦକ ତଥା ବାଲେଶ୍ୱର ଡିଷ୍ଟ୍ରିକ୍ଟ କଣ୍ଟୋଲ ରୁମ୍‌ ଇନଚାର୍ଜ ସଞ୍ଜୀବ ଗିରି, ପୂର୍ବତନ ଉପସଭାପତି ଗୋପୀନାଥ ପାଢ଼ୀ, ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ଅର୍ଚ୍ଚନା ନନ୍ଦୀ, ସୁବ୍ରତ ଦାସ, ତୁଷାରକାନ୍ତ ତପସ୍ବୀ, ଦେବଦତ ଦାସ, ଗୌତମ ସାହୁ, ରଞ୍ଜନ ଦାସ, ଜ୍ଞାନେନ୍ଦ୍ର ମହାନ୍ତି, ଅବଦୁଲ୍‌ ବୁରହାନ, ଜୀବନ ମହାପାତ୍ର, ମୁସ୍ତାଫିକ ଖାନ୍‌, ସେଖ୍‌ ଅସଗର ଅଲ୍ଲୀ, ଯୁବନେତା ସରୋଜ ଲେଙ୍କା ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ।