ସାମାଜିକ ଦୂରତା ହ୍ରାସ ପାଇଲେ ବଢ଼ିବ ସଙ୍କଟ: ମୋଦି

ନୂଆଦିଲ୍ଲୀ,୧୧।୫: ଦେଶରେ କରୋନା ଭାଇରସ୍‌ ମହାମାରୀ ସଙ୍କଟ ଜାରି ରହିଛି। ଦିନକୁ ଦିନ କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ କରୋନା ବିରୋଧରେ ଜାରି ରହିଥିବା ଲଢ଼େଇ ପ୍ରସଙ୍ଗରେ ସୋମବାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଆଲୋଚନା କରିଛନ୍ତି। ସୋମବାର ଅପରାହ୍ନରେ ଭିଡିଓ କନ୍‌ଫରେନ୍ସିଂରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମୋଦି କରୋନା ମୁକାବିଲା ରଣନୀତି ଓ ଲକ୍‌ଡାଉନକୁ ନେଇ ଆଲୋଚନା କରିଥିଲେ। ଏହି ବୈଠକରେ ସତର୍କତା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ଯଦି ଲୋକମାନେ ସାମାଜିକ ଦୂରତ୍ୱ ରକ୍ଷା ନ କରନ୍ତି ଓ ସତର୍କତା ଅବଲମ୍ବନ ନ କରନ୍ତି ତେବେ କରୋନା ସଙ୍କଟ ବୃଦ୍ଧି ପାଇବ ବୋଲି ମୋଦି କହିଛନ୍ତି। ତେଣୁ ଲକ୍‌ଡାଉନ ଓ ସାମାଜିକ ଦୂରତ୍ୱ କିଭଳି ପାଳନ କରାଯାଉଛି ସେନେଇ ଅଧିକ ଦୃଷ୍ଟି ଦେବା ଏବେ ଜରୁରୀ ହୋଇପଡ଼ିଛି। କରୋନା ବିରୋଧରେ ସବୁ ରାଜ୍ୟ ମିଶିକି କାର୍ଯ୍ୟ କରୁଥିବା ବେଳେ ସମସ୍ତେ ନିଜ ଦାୟିତ୍ୱ ଭଲଭାବେ ତୁଲାଇଛନ୍ତି ବୋଲି ମୋଦି କହିଛନ୍ତି। କରୋନାକୁ ନେଇ କ୍ୟାବିନେଟ ସଚିବ ଓ ରାଜ୍ୟ ସଚିବ ଉଭୟ ଲଗାତର ସମ୍ପର୍କରେ ରହିଛନ୍ତି। ଏହା ବିରୋଧରେ ଲଢ଼େଇ ପାଇଁ ଅଧିକ ଧ୍ୟାନ ଦେବା ସହ କାର୍ଯ୍ୟକଳାପକୁ ବୃଦ୍ଧି କରିବାକୁ ପଡ଼ିବ। ଏକ ସନ୍ତୁଳିତ ରଣନୀତି ସହ ଆଗକୁ ବଢ଼ି, ଚ୍ୟାଲେଞ୍ଜ ଗୁଡ଼ିକ କ’ଣ ଏହାର ସମାଧାନ କ’ଣ ତା’ ଉପରେ ଅଧିକ କାର୍ଯ୍ୟ କରିବାକୁ ମୋଦି ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ବିଭିନ୍ନ ରାଜ୍ୟ ଓ ଜିଲାରେ ଦ୍ରୁତ ଗତିରେ କରୋନା ବ୍ୟାପୁଥିବା ବେଳେ ଏହା କିପରି ଗାଁକୁ ନ ପହଞ୍ଚିବ ତା’ଏବେ ଏକ ଚ୍ୟାଲେଞ୍ଚ ପାଲଟିଛି। ତେବେ ସେଥିପ୍ରତି ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ମୋଦି ପରାମର୍ଶ ଦେଇଛନ୍ତି।

Share