ସାମାଜିକ ଦୂରତ୍ୱକୁ ଫୁ : ବ୍ୟାଙ୍କ ସମ୍ମୁଖରେ ଅସମ୍ଭାଳ ଭିଡ଼

ବିଜେପୁର, ୧୫।୪(ଡି.ଏନ୍‌.ଏ.): କରୋନା ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତ୍ୱକୁ ସରକାର ବେଶ୍‌ ପ୍ରଧାନ୍ୟ ଦେଉଛନ୍ତି। ଲୋକଙ୍କୁ ବିଭିନ୍ନ ମାଧ୍ୟମରେ ସଚେତନ କରୁଛନ୍ତି। ମାତ୍ର ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହେଉ ନ ଥିବାରୁ ବିଭିନ୍ନ ସ୍ଥାନରେ ଗହଳି ପରିଲକ୍ଷିତ ହେଉଛି। ବରଗଡ଼ ଜିଲା ବିଜେପୁର ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ବୁଧବାର ପୂର୍ବାହ୍ନରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ସୋମବାର ଓ ମଙ୍ଗଳବାର ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିଥିଲା। ତେଣୁ ବୁଧବାର ପୂର୍ବାହ୍ନ ୯ଟାରୁ ବ୍ୟାଙ୍କ ସମ୍ମୁଖରେ ଲୋକଙ୍କ ଗହଳି ଜମିଥିଲା। ନିକଟରେ ଥିବା ଏଟିଏମ୍‌ କାଉଣ୍ଟରରେ ମଧ୍ୟ ଲୋକେ ଭିଡ ଜମାଇଥିଲେ। ଦୁଇ ପୋଲିସ କର୍ମଚାରୀ ସେମାନଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସେମାନେ ସାମାଜିକ ଦୂରତ୍ୱକୁ ମାନି ନ ଥିଲେ। ଖବର ପାଇ ପୋଲିସ ଟିମ୍‌ ପହଞ୍ଚି ଲୋକଙ୍କୁ ତାଗିଦ କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ପୋଲିସର ଏତାଦୃଶ କାର୍ଯ୍ୟକୁ ସଚେତନ ନାଗରିକ ପ୍ରଂଶସା କରିଥିବାବେଳେ ବ୍ୟାଙ୍କରେ ସାମାଜିକ ଦୂରତ୍ୱ ବଜାଇ ରଖିବା ଦିଗରେ ବ୍ୟାଙ୍କ କତ୍ତୃପକ୍ଷ ଦୁଷ୍ଟି ଦେବାକୁ ଦାବି ହେଉଛି।

Share