ସାମାଜିକ ଦୂରତ୍ୱ ରକ୍ଷା ନ ହେଲେ ଦୋକାନ ବନ୍ଦ

ସୋନପୁର, ୬ା୪(ନି.ପ୍ର.): ଗାଁ ଠୁ ସହର ଦୋକାନ ଭିତରେ ଏବଂ ବାହାରେ ଅତ୍ୟଧିକ ଭିଡ ହେଉଛି। ସାମାଜିକ ଦୂରତ୍ୱ ରକ୍ଷା ହୋଇପାରୁନି। ଏହା ସୁବର୍ଣ୍ଣପୁର ଜିଲା ପାଇଁ ବର୍ତ୍ତମାନ ବିପଦ ସୃଷ୍ଟି କରିଛି। ଏ ସବୁକୁ ଦୃଷ୍ଟିରେ ରଖି ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିଛି। ନିୟମ ଉଲ୍ଲଂଘନ ହେଲେ ଏଣିକି ସମ୍ପୃକ୍ତ ଦୋକାନକୁ ବନ୍ଦ କରି ଦିଆଯିବ ବୋଲି ଜିଲାପାଳ ମୋନିଷା ବାନାର୍ଜୀ ସୋମବାର ଆଦେଶ ଜାରି କରିଛନ୍ତି। ଓଡିଶା ସରକାରଙ୍କ କୋଭିଡ-୧୯ ଆଇନ ୨୦୨୦ ଅନୁଯାୟୀ ଜିଲାପାଳ ବାନାର୍ଜୀ ସମଗ୍ର ଜିଲାରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା ରକ୍ଷା କରିବା ନିମନ୍ତେ କଠୋର ପଦକ୍ଷେପ ନେବା ପାଇଁ ଅଦେଶ ଦେଉଛନ୍ତି। ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ଲକ୍‌ଡାଉନ୍‌ ସମୟରେ ଖୋଲା ଯାଇଥିବା ଅତ୍ୟାବଶ୍ୟକୀୟ ଦୋକାନଗୁଡିକରେ ଏବଂ ହାଟ ବଜାରରେ ନିର୍ଦ୍ଦିଷ୍ଟ ସାମାଜିକ ଦୂରତ୍ୱ ରକ୍ଷା କରାଯାଉନି। ଏହାଦ୍ୱାରା ସମଗ୍ର ଜିଲା ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ଏହି ନୂତନ ଆଦେଶ ଫଳରେ ଦୋକାନ ଭିତରେ ଏବଂ ବାହାରେ ଅତ୍ୟଧିକ ଭିଡ ଏବଂ ଦୂରତା ନିୟନ୍ତ୍ରଣ କରିବା ଦାୟିତ୍ୱ ସମ୍ପୃକ୍ତ ଦୋକାନୀଙ୍କର ରହିବ। ଦୋକାନୀମାନେ ଦୋକାନ ବାହାରେ ଦୁଇ ମିଟର ବ୍ୟବଧାନରେ ଗୋଲେଇ କିମ୍ବା ବର୍ଗକ୍ଷେତ୍ର ଦେଇ ସାମାଜିକ ଦୂରତା ରକ୍ଷା କରିବେ। ଲକ୍ଷ୍ୟ ରଖିବେ ଯେପରି ଗ୍ରାହକମାନେ ଏହି ଚିହ୍ନ ଭିତରେ ରହି ସଉଦା ନେବା ଆଣିବା କରିବେ। ଏହି ନିୟମକୁ ଯେଉଁ ଦୋକାନୀ ମାନେ ପାଳନ କରିବାକୁ ଅକ୍ଷମ ହେବେ ପ୍ରଶାସନ କିମ୍ବା ପୋଲିସ ସେହି ଦୋକନକୁ ତୁରନ୍ତ ବନ୍ଦ କରି ଦେଇ ପାରିବେ । ଏହି ଆଦେଶକୁ କାର୍ଯ୍ୟକାରୀ କରିବା ପାଇଁ ସୋନପୁର ଓ ବୀରମହାରାଜପୁର ଉପଜିଲାପାଳ, ସମସ୍ତ ତହସିଲଦାର ଓ ପୌରପାଳିକାମାନଙ୍କର କାର୍ଯ୍ୟନିର୍ବାହୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଜିଲା ଆରକ୍ଷୀ ଅଧିକ୍ଷକ ସମସ୍ତ ଥାନା ଅଧିକାରୀମାନଙ୍କୁ ଏହି ନିୟମର କଠୋର ଅନୁପାଳନ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Share