ବରଗଡ଼ ଅଫିସ,୧୬।୩: ବରଗଡ଼ ଜିଲା କାଶିପାଲି ଗ୍ରାମର ୪ ପରିବାରଙ୍କୁ ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି। ଏକ ଦୋକାନ ନିର୍ମାଣକୁ କେନ୍ଦ୍ର କରି ଆକ୍ରୋଶମୂଳକ ଭାବେ ସେମାନଙ୍କ ବିରୋଧରେ ଏଭଳି କରାଯାଇଛି ବୋଲି ଉକ୍ତ ୪ ପରିବାରର ଲୋକେ ଅଭିଯୋଗ ଆଣିଛନ୍ତି। ଏ ନେଇ ପୀଡ଼ିତ ପରିବାର ସୋମବାର ବରଗଡ଼ ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି। ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଅନୁପସ୍ଥିତିରେ ଜିଲାପାଳଙ୍କ କାର୍ଯ୍ୟାଳୟ ଡାକ ସେକ୍ସନରେ ସେମାନେ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଗ୍ରାମର ଭୈରୁଧର ବଳଛୋର, ସନ୍ତୋଷ ବଳଛୋର, ସ୍ବର୍ଗତ ବିଷ୍ଣୁ ବଳଛୋର ଏବଂ ଈଶ୍ୱର ବଳଛୋରଙ୍କ ପରିବାର ପିଲାଛୁଆ ଧରି ଜିଲାପାଳ ଅଫିସ ଆସିଥିଲେ।