ସାମାଜିକ ବାସନ୍ଦ ବିରୋଧରେ ଆଇନ ପ୍ରଣୟନ ପାଇଁ ହାଇକୋର୍ଟରେ ମାମଲା : ସରକାରଙ୍କୁ ରିପୋର୍ଟ ତଲବ

କଟକ ଅଫିସ,୨୫।୬ : ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଅନେକ ଅଗ୍ରଗତି ଘଟିଛି। ଏହା ସାଙ୍ଗକୁ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ମଧ୍ୟ ଅଗେଇ ଚାଲିଛି। କିନ୍ତୁ ସରକାରଙ୍କ ଅପାରଗତା ଯୋଗୁ ଓଡ଼ିଶାର ଗ୍ରାମାଞ୍ଚଳରେ ସାମାଜିକ ବାସନ୍ଦ ଓ କଟକଣା ଭଳି ମଧ୍ୟଯୁଗୀୟ କାର୍ଯ୍ୟକଳାପ ବଢିବାରେ ଲାଗିଛି। ଗତ କିଛିବର୍ଷ ମଧ୍ୟରେ କୁସଂସ୍କାର, ଅନ୍ଧବିଶ୍ୱାସ ସାଙ୍ଗକୁ ଗରିବ, ଦଳିତ ବର୍ଗର ଲୋକମାନଙ୍କ ଉପରେ ସାମାଜିକ କଟକଣାକୁ ଖାପ ପଞ୍ଚାୟତ/କଙ୍ଗାରୁ କୋର୍ଟ ମାଧ୍ୟମରେ ଲଦି ଦିଆଯାଇଛି। ଏହାଦ୍ୱାରା ସେମାନଙ୍କ ମାନବିକ ଅଧିକାର ଓ ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାର କ୍ଷୁଣ୍ଣ ହେଉଛି। କେତେକ କ୍ଷେତ୍ରରେ ପୋଲିସ ଓ ପ୍ରଶାସନର ଅସହଯୋଗ କିମ୍ବା ନିଷ୍କ୍ରିୟତା ଯୋଗୁ ଅନେକ ପରିବାର ପ୍ରଭାବିତ ହେଉଛନ୍ତି। ଦିନକୁ ଦିନ ଏହା ବଢି ଚାଲିବାରୁ ବିଶ୍ୱରେ ଭାରତ ନିନ୍ଦିତ ହେଉଛି। ଓଡ଼ିଶା ହେତୁବାଦୀ ସଙ୍ଗଠନର ସମ୍ପାଦକ ଦେବେନ୍ଦ୍ର ସୂତାର ଏ ବାବଦରେ ବିଭିନ୍ନ କର୍ତ୍ତୃପକ୍ଷ ଓ ସରକାରଙ୍କ ଦୃଷ୍ଟିଆକର୍ଷଣ କରିଥିଲେ ମଧ୍ୟ କେହି ଏ ନେଇ ପଦକ୍ଷେପ ଗ୍ରହଣ କରି ନ ଥିଲେ। ତେଣୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏ ବାବଦରେ ଏକ ଦୃଢ ଆଇନ ପ୍ରଣୟନ କରିବା ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସୂତାର ପିଟିଶନରେ ନିବେଦନ କରିଥିଲେ। ମାମଲାର ଶୁଣାଣି କରି ହାଇକୋର୍ଟ ଏ ସମ୍ପର୍କରେ ୪ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି। ଏହି ମାମଲାକୁ ଆଇନଜୀବୀ କ୍ଷୀରୋଦ ରାଉତ ପରିଚାଳନା କରୁଥିବାବେଳେ ଜୟନ୍ତୀ ନାୟକ, ସୁରେନ୍ଦ୍ର କୁମାର ରାଉତ, ଅନିଲ କୁମାର ଦଳାଇ ଓ ସରୋଜ କୁମାର ଭୂୟଁା ତାଙ୍କୁ ସହଯୋଗ କରୁଛନ୍ତି।

Share