ସାମାଜିକ ବାସନ୍ଦ ବିରୋଧରେ ଦୃଢ଼ ହେଲେ ପ୍ରମିଳା

ଗୁଡ଼ଭେଲା, ୩।୧ (ଡ଼ି.ଏନ.ଏ.): ବାପାଙ୍କ ମୃତଦେହ ଘରେ ୨ ଦିନ ହେଲା ପଡ଼ିଥିଲା। ମୁଣ୍ଡପିଟି କାନ୍ଦୁଥିଲେ ପରିବାର ଲୋକେ। ଶୋକରେ କାହାର ପାଟି ଫିଟୁ ନ ଥିଲା। ମୃତଦେହ ସତ୍କାର ହୋଇ ନ ଥିବାରୁ ଭୋକ ଉପାସରେ ରହିଥିଲେ ସାରା ପରିବାର। ଏମିତି ପରିସ୍ଥିତିରେ ଜାତିଭାଇ କି ଅନ୍ୟ କେହି ଆଡ଼ ଆଖିରେ ଚାହିଁବାକୁ ଆସିଲେନି। ଝିଅ ଅନ୍ୟ ଜାତିରେ ବିବାହ କରିଥିବାରୁ ସାମାଜିକ ବାସନ୍ଦର ଦୁର୍ଦ୍ଦଶା ଭୋଗୁଥିବା ଏହି ପରିବାର ପାଇଁ କେହି ସାହା ଭରସା ବି ନ ଥିଲେ।
ଏପରି ଅବସ୍ଥାରେ ଝିଅ ନିଜ କୋହକୁ ଛାତିରେ ଚାପି ଧରିଥିଲେ। ଦୃଢ଼ କରିଥିଲେ ନିଜ ମନୋବଳ। ଦୁଇ ହାତରେ ପୋଛି ଦେଇଥିଲେ ନିଜ ଆଖିର ଲୁହ। ଆଉ କାହାକୁ ଅପେକ୍ଷା ନ କରି ନିଜ ବାଡ଼ି ପଟେ ବାପାଙ୍କ ମୃତଦେହ ସତ୍କାର କରିଥିଲେ ସେ…।
ବଲାଙ୍ଗୀର ଜିଲା ଗୁଡ଼ଭେଲା ବ୍ଲକ ଘୁନା ଗାଁରେ ଗୁରୁବାର ଘଟିଛି ଏହି ଅଭାବନୀୟ ଘଟଣା। ସେହି ଗାଁର ବାଳି ସେଲମା(୭୦)ଙ୍କ ଏକମାତ୍ର ଝିଅ ପ୍ରମିଳା କିଛି ବର୍ଷ ତଳେ ଅନ୍ୟଜାତିର ସୁଦେର ମାଝିଙ୍କୁ ପ୍ରେମ ବିବାହ କରିଥିଲେ। ଏହି ଘଟଣା ପରେ ବାଳିଙ୍କ ପରିବାରକୁ ଜାତିଭାଇ ଗାଁରୁ ବାସନ୍ଦ କରି ଦେଇଥିଲେ। ଜାତିର ଚାପ ଓ ଏକଘରକିଆ ହେବା ଭୟରେ ବାଳି ଝିଅ ପାଇଁ ଶୁଦ୍ଧି ହୋଇଥିଲେ। ବିବାହ ପରେ ସୁଦେର ଓ ପ୍ରମିଳା କଳାହାଣ୍ଡି ଜିଲା ମ.ରାମପୁରରେ ରହୁଥିଲେ। ବିବାହର ୨ ବର୍ଷ ପରେ ତାଙ୍କର ପୁଅଟିଏ ଜନ୍ମ ହୋଇଥିଲା। ହେଲେ ଏହାର କିଛିଦିନ ପରେ ସୁଦେରଙ୍କ ପରଲୋକ ଘଟିଥିଲା। ଏପରି ଅବସ୍ଥାରେ ଝିଅ ଓ ନାତିର ଦୟନୀୟ ଅବସ୍ଥାକୁ ଦେଖି ବାଳି ସହି ପାରି ନ ଥିଲେ। ସାମାଜିକ ବାସନ୍ଦ ଭୟକୁ ଖାତିର ନ କରି ସେ ଝିଅ ଓ ନାତିଙ୍କୁ ନିଜ ଘରକୁ ନେଇ ଆସି ରଖିଥିଲେ। ଫଳରେ ବାଳିଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିଲା। ଶେଷରେ ଗାଁ ବାହାରେ ଥିବା ନିଜ କ୍ଷେତରେ କୁଡ଼ିଆ କରି ବାଳି ନିଜ ଝିଅ ଓ ନାତିଙ୍କ ସହ ରହୁଥିଲେ।
ଗତ ୨ ମାସ ଧରି ଅସୁସ୍ଥ ଥିବା ବାଳିଙ୍କ ଗତ ମଙ୍ଗଳବାର ରାତିରେ ମୃତ୍ୟୁ ଘଟିଥିଲା। ଗାଁରେ ଥିବା ବାଳିଙ୍କ ନିଜ ଭାଇ, ବନ୍ଧୁ ଓ ସମ୍ପକୀୟମାନେ ଏହି ଦୁଃଖଦ ଖବର ଜାଣିବା ପରେ ବି ସାମାଜିକ ବାସନ୍ଦ ହେବା ଭୟରେ କେହି ତାଙ୍କ ଘରକୁ ଯାଇ ନ ଥିଲେ। ଫଳରେ ବୁଧବାର ପର୍ଯ୍ୟନ୍ତ ବାଳିଙ୍କ ମୃତଦେହ ସେହି କୁଡିଆରେ ପଡି ରହିଥିଲା। ଗୁରୁବାର ସହାନୁଭୂତି ଦେଖାଇ ଅନ୍ୟ ଜାତିର ଲୋକେ ଦାହକାର୍ଯ୍ୟ ସମ୍ପନ୍ନ କରିବା ପାଇଁ ପ୍ରମିଳାଙ୍କୁ କାଠ ଦେଇଥିଲେ। କିନ୍ତୁ କେହି ମୃତଦେହ ଛୁଇଁ ନ ଥିଲେ। ଏପରି ସ୍ଥିତିରେ ପ୍ରମିଳା ନିଜକୁ ଦୃଢ଼ କରିଥିଲେ। ନିଜେ ବାପାଙ୍କ ଅନ୍ତିମ ସଂସ୍କାର କରିବାକୁ ନିଷ୍ପତ୍ତି ନେଇଥିଲେ। ଶେଷରେ ପ୍ରମିଳା ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ବାପାଙ୍କ ମୃତଦେହକୁ ଘରେ ଥିବା ଖଟିଆରେ ରଖିଥିଲେ। ଏହି ଖଟିଆକୁ ଘରଠାରୁ ପ୍ରାୟ ୫୦ ମିଟର ଦୂର ନିଜ ଚାଷ ଜମିକୁ ଟାଣି ଟାଣି ନେଇଥିଲା। ଗାଁ ଲୋକ ଦେଇଥିବା କାଠକୁ ବାପାଙ୍କ ମୃତଦେହ ଉପରେ ରଖି ମୁଖାଗ୍ନି ଦେଇଥିଲେ। ଏଥିରେ ପ୍ରମିଳାଙ୍କ ୫ ବର୍ଷର ପୁଅ ସହଯୋଗ କରିଥିଲେ।

Share