ସାମାଜିକ, ରାଜନୈତିକ ପ୍ରସଙ୍ଗରେ ବଲିଉଡ୍‌ ଯତ୍ନଶୀଳ ହେଉ: ସ୍ବରା ଭାସ୍କର

ମୁମ୍ବାଇ, ୧୩ା୧୦: ଫିଲ୍ମରେ କୌଣସି ସାମାଜିକ, ରାଜନୈତିକ ପ୍ରସଙ୍ଗ ସ୍ଥାନୀତ କଲାବେଳେ ବଲିଉଡ୍‌ ଯତ୍ନଶୀଳ ହେବା ଉଚିତ ବୋଲି ଅଭିନେତ୍ରୀ ସ୍ବରା ଭାସ୍କର ପ୍ରକାଶ କରିଛନ୍ତି। ଇଣ୍ଡିଆ ଫିଲ୍ମ ପ୍ରୋଜେକ୍ଟରେ ତାଙ୍କର ଆଗାମୀ ଫିଲ୍ମ ‘ଶିର କୋର୍‌ମା’ର ପୋଷ୍ଟର ଲଞ୍ଚ ଅବସରରେ ସେ ଏଭଳି ମତ ଦେଇଛନ୍ତି। ସହଅଭିନେତ୍ରୀ ଦିବ୍ୟା ଦତ୍ତ ଓ ନିର୍ଦ୍ଦେଶକ ଫରାଜ ଅରିଫ୍‌ ଅଂଶାରୀଙ୍କ ସହ କଥା ହେବା ଅବସରରେ ସେ ବଲିଉଡ୍‌ ଓ ଅନ୍ୟ ଭାଷାଭାଷୀର ଏହି ଶିଳ୍ପଗୁଡ଼ିକ ଆଭିମୁଖ୍ୟ ଠିକ୍‌ କରିବା ଦରକାର ବୋଲି କହିଛନ୍ତି। ଜାତି, ଧର୍ମ, ସମ୍ପ୍ରଦାୟ, ଲିଙ୍ଗଗତ ଭାବନାକୁ ଗୁରୁତ୍ୱ ଦିଆଯିବା ଉଚିତ। ଯେଭଳି ଦଳିତ, ସଂଖ୍ୟାଲଘୁ, ସମଲିଙ୍ଗୀ ସମ୍ପ୍ରଦାୟକୁ ଆଘାତ ନ ପହଞ୍ଚେ କିମ୍ବା ଫିଲ୍ମକୁ ନେଇ କେହି ଆପତ୍ତି ନ ଉଠାନ୍ତି, ତାକୁ ଗୁରୁତ୍ୱ ଦିଆଯିବା ଠିକ୍‌ ହେବ। ଏନେଇ ତୁରନ୍ତ ପଦକ୍ଷେପ ନେବା ଉଚିତ୍‌। ପ୍ରକାଶଥାଉ କି, ‘ଶୀର କୋରମା’ରେ ଭାସ୍କର ଓ ଦତ୍ତ ସମଲିଙ୍ଗୀ ଯୋଡ଼ି ଭୂମିକାରେ ଅଭିନୟ କରୁଛନ୍ତି। ଏଥିରେ ଶବାନା ଆଜ୍‌ମି ମଧ୍ୟ ଅଛନ୍ତି। ଫିଲ୍ମରେ ଥିବା ଚରିତ୍ର ଓ ଏହାର ସାମାଜିକ ପ୍ରଭାବକୁ ସର୍ବଦା ଗୁରୁତ୍ୱ ଦେବାକୁ ଭାସ୍କର ପରାମର୍ଶ ଦେଇଛନ୍ତି। ଲୋକ ସଭା ନିର୍ବାଚନରେ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରି ସେ ୪ ବ୍ରାଣ୍ଡ ହରାଇଥିବା ମଧ୍ୟ କହିଛନ୍ତି।

Share