Advertisement

ସାମାନ୍ୟ ବର୍ଷାରେ ଧୋଇଗଲା ୨୦ ଲକ୍ଷର ଡ୍ରେନ୍‌

ଆନନ୍ଦପୁର, ୬।୨(ସ୍ବ.ପ୍ର.)-ଆନନ୍ଦପୁର ପୌର ପରିଷଦ ୭ନଂ ଓ୍ବାର୍ଡ଼ରେ ଦେଖିବାକୁ ମିଳିଛି ସହରାଞ୍ଚଳ ବିକାଶର ନଗ୍ନ ଚିତ୍ର। ୨୦ ଲକ୍ଷ ଟଙ୍କାରେ ନିର୍ମିତ ହୋଇଥିବା ଜଳ ନିଷ୍କାସନ ନାଳ ମାତ୍ର କେଇଟା ଦିନରେ ସାମାନ୍ୟ ବର୍ଷାରେ ଧୋଇଗଲା। ଧୋଇ ଯାଇଥିବା ନାଳର ଅବସ୍ଥାକୁ ଦେଖିଲେ ନିର୍ମାଣ କାର୍ଯ୍ୟରେ ହୋଇଥିବା ଅନିୟମିତତାର ସ୍ପଷ୍ଟ ଚିତ୍ର ବାରି ହୋଇପଡ଼ିବ। ୭ନଂ ଓ୍ବାର୍ଡରେ ନିର୍ମାଣ ହୋଇଥିବା ଏହି ଡ୍ରେନ ଡିଓଏଫ ଏବଂ ୧୪ତମ ଏଫସି ଗ୍ରାଣ୍ଟରେ ୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଡ୍ରେନ୍‌ ନିର୍ମାଣ ପାଇଁ ଟେଣ୍ଡର ହୋଇ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା। ଏହି କାର୍ଯ୍ୟାଦେଶ ଆରମ୍ଭ କରାଯାଇ କାର୍ଯ୍ୟ ମଧ୍ୟ ଶେଷ ହେଲା। ଏପରି କି ଠିକାଦାର ନିର୍ମାଣ କାର୍ଯ୍ୟର ଅର୍ଥ ମଧ୍ୟ ପାଇବାରେ ସକ୍ଷମ ହୋଇଛନ୍ତି। ସଂପୃକ୍ତ ନିର୍ମାଣ କାର୍ଯ୍ୟଗୁଡିକ କାର୍ଯ୍ୟରତ ଯନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ପରାମର୍ଶରେ ନିର୍ମାଣ କାର୍ଯ୍ୟ ମଧ୍ୟ ଅନୁଷ୍ଠିତ ହୋଇଥିଲା। ହେଲେ ଶୀତଦିନିଆ ଅସରାଏ ବର୍ଷାରେ ଜଳନିଷ୍କାସନ ନାଳ ଧୋଇଯିବା ଘଟଣାକୁ ନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ସମୟରେ ଏଷ୍ଟିମେଟ୍‌ ଅନୁଯାୟୀ ଆବଶ୍ୟକୀୟ କଞ୍ଚମାଲ ବ୍ୟବହାର ହୋଇନଥିବା ଦେଖିବାକୁ ମିଳିଛି। ଏସମ୍ପର୍କରେ ଆନନ୍ଦପୁର ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ହିତାଂଶୁ ଶେଖର ସାମଲଙ୍କୁ ପଚାରିବାରୁ ଠିକାଦାରଙ୍କ ଦ୍ୱାରା ହୋଇଥିବା ନିର୍ମାଣ କାର୍ଯ୍ୟ ଠିକ୍‌ ହୋଇ ନ ଥିବା କହିଥିବାବେଳେ ସଂପୃକ୍ତ ଠିକାଦାରଙ୍କୁ କଳା ତାଲିକାଭୁକ୍ତ କରାଯିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି। ତେବେ ଜଳ ନିଷ୍କାସନ ନାଳ ଭାଙ୍ଗିଯାଇଥିବା ଅଂଶକୁ ଲୋକମାନଙ୍କ ଦୃଷ୍ଟି ଆଢୁଆଳରେ ରଖିବା ପାଇଁ ପୁନର୍ବାର ମରାମତି କରାଯାଇଛି। ହେଲେ ନିର୍ମାଣ ହୋଇଥିବା ନାଳର ଅନ୍ୟ ଅଂଶଗୁଡିକର ସ୍ଥାୟିତ୍ୱକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share