ସାମୁଦ୍ରିକ ଥାନା ଜଳ ସୀମାକୁ ନେଇ ଦ୍ୱନ୍ଦ୍ୱ

ପାରାଦୀପ,୨ା୮(ସ୍ବ.ପ୍ର.): ପାରାଦୀପରେ ଦୁଇଟି ସାମୁଦ୍ରିକ ଥାନା ରହିଛି। ଗୋଟିଏ ହେଲା ନେହେରୁ ବଙ୍ଗଳାରେ ଥିବା ସାମୁଦ୍ରିକ ଥାନା ଓ ଅନ୍ୟଟି ହେଲା ନୂଆ ବଜାରସ୍ଥିତ ଜଟାଧାର ମୁହାଣ ସାମୁଦ୍ରିକ ଥାନା। ସ୍ଥଳଭାଗରେ ଦୁଇ ଥାନାର ସୀମା ନିର୍ଦ୍ଧାରଣ କରାଯାଇଛି। ଯେପରି କି ଜଟାଧାର ଥାନାର ସୀମା ବନ୍ଦର ୫ନଂ. ଗେଟ୍‌ଠାରୁ ବିଶୋଧନାଗାର ସାଉଥ୍‌ ଗେଟ୍‌ ଭୋସ୍କାଲିସ ପଏଣ୍ଟ ପର୍ଯ୍ୟନ୍ତ ଓ ନେହେରୁ ବଙ୍ଗଳା ଥାନା ସୀମା ସ୍ଥଳଭାଗର ବନ୍ଦର ପୋତାଶ୍ରୟ ପ୍ରବେଶପଥଠାରୁ ମହାନଦୀ ମୂହାଣ ପର୍ଯ୍ୟନ୍ତ। କିନ୍ତୁ ଜଳଭାଗର ସୀମା ଅଦ୍ୟାବଧି ନିର୍ଦ୍ଧାରଣ ହୋଇପାରିନାହିଁ। ତେଣୁ ସମୁଦ୍ରରେ କିଛି ଦୁର୍ଘଟଣା ବା ଅପରାଧ ଘଟିଲେ କେଉଁ ଥାନାରେ ଅଭିଯୋଗ କରାଯିବ ତାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ମଙ୍ଗଳବାର ସମୁଦ୍ରର ଏସ୍‌ପିଏମ୍‌ (ସିଙ୍ଗଲ ପଏଣ୍ଟ ମୋରିଂ ସିଷ୍ଟମ) ପାଖରେ ଜଣେ ମତ୍ସ୍ୟଜୀବୀ ଟ୍ରଲରରୁ ଖସିପଡି ନିଖୋଜ ହୋଇଯାଇଥିଲେ। ସେହି ସୀମା କେଉଁ ଥାନା ଅଧୀନରେ ରହିଛି, ତାହା ସ୍ପଷ୍ଟ ନ ହେବାରୁ ସମ୍ପୃକ୍ତ ଟ୍ରଲର ମାଲିକ ଭାଗବତ ନାୟକ ଅଭିଯୋଗ କରିବାକୁ ଦୁଇ ଥାନାକୁ ରାତି ୧୧ଟା ପର୍ଯ୍ୟନ୍ତ ଦୌଡ଼ିଥିଲେ। ଶେଷରେ କୂଳରୁ ସିଧା ପାଣିକୁ ଲକ୍ଷ୍ୟ କରାଯାଇ ଜଟାଧାର ଥାନାରେ ନିଖୋଜ ରିପୋର୍ଟ ଦିଆଯାଇଥିଲା। ଏ ସମ୍ପର୍କରେ ଜଟାଧାର ସାମୁଦ୍ରିକ ଥାନା ଅଧିକାରୀ ଭରତ କୁମାର ବେହେରା କହିଛନ୍ତି ଯେ, ସ୍ଥଳଭାଗର ସୀମା ଅନୁସାରେ ଆକଳନ କରାଯାଇ ମାମଲା ରୁଜୁ କରାଯାଇଛି। ସମୁଦ୍ରରେ ସାମୁଦ୍ରିକ ଥାନାର ସୀମା କେତେ ପଚାରିବାରେ ସେ ଜାଣି ନ ଥିବା କହିଥିଲେ। ସୂଚନାଯୋଗ୍ୟ, ୨୦୦୯ ବ୍ଲାକରୋଜ ବୁଡି ଘଟଣାବେଳେ ସାମୁଦ୍ରିକ ଥାନାର ସୀମା କୂଳଠାରୁ ୬ ନଟିକାଲ ମାଇଲ (୯ କିମି) ବୋଲି କୁହାଯାଇଥିଲା। ଏବେ ସମୁଦ୍ରରେ ପାଟ୍ରୋଲିଂ ହେଉ ନ ଥିବାରୁ ଥାନାର ସୀମା ନିର୍ଦ୍ଧାରଣ କରିବାରେ ମେରାଇନ୍‌ ଥାନା ବିଫଳ ହେଉଥିବା କୁହାଯାଉଛି।

Share