ସାମୂହିକ ଉଦ୍ୟମ ଦ୍ୱାରା ମ୍ୟାଲେରିଆ ମୂଳୋତ୍ପାଟନ ସମ୍ଭବ

ସୋନପୁର,୨୬।୪(ନି.ପ୍ର.) ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଶରତ ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ସଭାରେ ଜିଲାପାଳ ମଧୁସୂଦନ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ସାମୂହିକ ଉଦ୍ୟମ ଦ୍ୱାରା ମ୍ୟାଲେରିଆର ମୂଳୋତ୍ପାଟନ ସମ୍ଭବ ବୋଲି କହିଥିଲେ। ଜିଲା ମ୍ୟାଲେରିଆ ଅଧିକାରୀ ତଥା ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ(ଭିବିଡି) ଡାକ୍ତର ନବ କିଶୋର ବେହେରା ମ୍ୟାଲେରିଆ ନିୟନ୍ତ୍ରଣ କ୍ଷେତ୍ରରେ ଜିଲାର ସ୍ଥିତି ଉପରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ମୁଖ୍ୟ ଚିକିତ୍ସାଳୟ ନିରୀକ୍ଷକ ଡାକ୍ତର ପ୍ରଦୀପ କୁମାର ଗୁରୁ, ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡାକ୍ତର ଦୈତ୍ୟ ନାରାୟଣ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ। ସଭା ପୂର୍ବରୁ ମହିଳା ସ୍ବାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ରର ଛାତ୍ରୀମାନେ ଏକ ସଚେତନତା ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ସନ୍ତୋଷ ସାହୁଙ୍କ ଲିଖିତ ଏକ ସଚେତନତାଧର୍ମୀ ନାଟକ ପରିବେଷଣ କରିଥିଲେ। ସଭା ଶେଷରେ ଏକ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ସହକାରୀ ଜିଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ସଂଯୋଜନା କରିଥିବା ବେଳେ ଭିବିଡି କନସଲଟାଣ୍ଟ ଚନ୍ଦ୍ରଶେଖର ମିଶ୍ର, ପ୍ରମୋଦ ସାହୁ, ତାରିଣୀ ପାତ୍ର ଓ ଅଜୟ ଜେନା ପ୍ରମୁଖ କାଯର୍‌ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ। ଏନଏଚଏମ ଡିପିଏମ ମୌସୁମୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରକାଶ ଯେ, ଉଲୁଣ୍ଡା, ବୀରମହାରାଜପୁର ଓ ଡୁଙ୍ଗୁରିପାଲି ବ୍ଲକର ମ୍ୟାଲେରିଆ ପ୍ରବଣ ଅଞ୍ଚଳରେ ସଚେତନତା, ମଶାରି ପ୍ରଦାନ ଯୋଗୁଁ ସ୍ଥିତିର ଯଥେଷ୍ଟ ଉନ୍ନତି ଆସିଛି। ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଓ ଆଶକର୍ମୀଙ୍କ ଉଦ୍ୟମ ଯୋଗୁଁ ବିଗତ ପାଞ୍ଚ ବର୍ଷରେ ଜିଲାରେ ମ୍ୟାଲେରିଆ ଜନିତ ମୃତ୍ୟୁ ଶୂନ୍ୟ ରହିଛି । ଜିଲାରେ ଏହା ଲଲ୍ଲେଖନୀୟ ସଫଳତା।