ସାମ୍ନାକୁ ଆସିଲା କରୋନା ଭାଇରସରେ ସଂକ୍ରମିତ ଫୁସ୍‌ଫୁସ୍‌ର ପ୍ରଥମ ୩ଡି ଇମେଜ!

ଓ୍ବାଶିଂଟନ,୧୩।୩: କରୋନା ଭାଇରସ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ଏବେ ଏଥିରେ ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୪ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହେଲାଣି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୧ଲକ୍ଷ ପାର କରି ସାରିଲାଣି। ଅପରପକ୍ଷେ ଏହାକୁ ମାହାମାରୀ ମଧ୍ୟ ଘୋଷଣା କରାଯାଇ ସାରିଛି। ହେଲେ ଏପର୍ଯ୍ୟନ୍ତ ଏହାର ଉପଯୁକ୍ତ ଚିକିତ୍ସା ପଦ୍ଧତି ଜଣା ନ ଥିବା ବେଳେ ବିଶେଷଜ୍ଞମାନେ ଏବେ ଏହାକୁ ନେଇ ଗବେଷଣାରେ ଲାଗିପଡିଛନ୍ତି। ରେଡିଓଲଜିକାଲ ସୋସାଇଟି ଅଫ୍‌ ନର୍ଥ ଆମେରିକା ପ୍ରଥମକରି କରୋନା ସଂକ୍ରମିତ ଫୁସ୍‌ଫୁସ୍‌ର ଏକ ୩ଡି ଫଟୋ ଜାରି କରିଥିବା କୁହାଯାଉଛି। ଜାରି କରାଯାଇଥିବା ଫଟୋରେ ଦେଖିବାକୁ ମିଳିଛି କି କରୋନା ସଂକ୍ରମିତ ରୋଗୀଙ୍କ ଫୁସ୍‌ଫୁସ୍‌ କିପରି ବହଳିଆ କଫରେ ପୂର୍ଣ୍ଣ ହୋଇଯାଇଛି। ଏହାଫଳରେ ରୋଗୀକୁ ନିଶ୍ୱାସ ନେବାରେ କଷ୍ଟ ହୋଇଥାଏ ବୋଲି କୁହାଯାଉଛି। ତେବେ କରୋନା ଭାଇରସ ସଂକ୍ରମଣରେ ପ୍ରଥମକରି ମନୁଷ୍ୟ ଶରୀରର ଶ୍ୱାସକ୍ରିୟାରେ ଏହା ପ୍ରଭାବ ପକାଇଥାଏ। ଏଥିରେ ଫୁସ୍‌ଫୁସ୍‌ ସଂକ୍ରମଣ ପ୍ରଥମ ଅବସ୍ଥା ବୋଲି କହିଛି ରେଡିଓଲଜିକାଲ ସୋସାଇଟି ଅଫ୍‌ ନର୍ଥ ଆମେରିକା। ଏବେ ଏହାର ସିଟିସ୍କାନ ଫଟୋ ଆସିଥିବା ବେଳେ ଏହାକୁ ନେଇ ଚିକିତ୍ସା ପଦ୍ଧତି ଉପରେ ଅଧିକ ଗବେଷଣା କରାଯାଇ ପାରିବ ବୋଲି ଅନୁମାନ କରାଯାଉଛି।

Share