ସାମ୍ନାକୁ ଆସିଲା ଦୁର୍ଘଟଣାଗ୍ରସ୍ତ ୟୁକ୍ରେନ୍‌ ବିମାନର ଭିଡିଓ

କିଏଭ୍‌,୧୦।୧: ଇରାନର ରାଜଧାନୀ ତେହେରାନ ବିମାନ ବନ୍ଦର ନିକଟରେ ବୁଧବାର ୟୁକ୍ରେନର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏବେ ଏହି ଦୁର୍ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ଦେଖିବା ପରେ ବିମାନ ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିପାରିବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଏହି ବିମାନ ଦୁର୍ଘଟଣାରେ ୧୭୬ ଜଣଙ୍କ ମୃତ୍ୟୁ ହୋଇଥିଲା। ମିଶାଇଲ ଆକ୍ରମଣରେ ଏହି ବିମାନ ଧ୍ୱଂସ ହୋଇଥିବା ଆଶଙ୍କା କରାଯାଉଥିବା ବେଳେ ବିମାନ ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଉଡ଼ାଣର କିଛି ସମୟ ପରେ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପୂର୍ବରୁ ବିମାନଟି ଏୟାରପୋର୍ଟ ଆଡ଼କୁ ଫେରିଆସିଥିଲା ବୋଲି ଇରାନର ଅଧିକାରୀମାନେ କହିଥିଲେ। ବିମାନର ଦୁଇ ଡାଟା ରେକର୍ଡର (ବ୍ଲାକ୍‌ବକ୍ସ) ମିଳିଥିଲା। କିନ୍ତୁ ତାହା ନଷ୍ଟ ହୋଇଯାଇଥିବା ପ୍ରକାଶ। ବୋଇଙ୍ଗ ୭୩୭-୮୦୦ ବୁଧବାର ସକାଳ ୬ଟା ୧୨ ମିନିଟରେ ତେହେରାନର ଇମାମ ଖୋମେନି ଅନ୍ତର୍ଜାତୀୟ ବିମାନବନ୍ଦରରୁ ୟୁକ୍ରେନ ରାଜଧାନୀ କିଏଭ ଅଭିମୁଖେ ଯାତ୍ରା ପାଇଁ ବାହାରିଥିଲା। ହେଲେ ଉଡ଼ାଣ ଆରମ୍ଭର ମାତ୍ର ୨ ମିନିଟ୍‌ ପରେ ରାଡାର ବାହାରକୁ ଚାଲିଯାଇଥିଲା। କଣ୍ଟ୍ରୋଲ ରୁମ ସହ ଯୋଗାଯୋଗ ବିଚ୍ଛିନ୍ନ ହେବାର କିଛି ସମୟ ପରେ ୪୫ କି.ମି. ଦୂର ଶାହରିଆର କାଉଣ୍ଟିସ୍ଥିତ ଖଲଜ୍‌ର ଏକ ଚାଷଜମିରେ ବିମାନ ଖସିପଡ଼ିଥିଲା।

Share