Categories: ଜାତୀୟ

ସାମ୍ବିଧାନିକ ବୈଧତାକୁ କାଏମ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧ା୨(ପି.ଟି.): ଅନୁସୂଚିତ ଜାତି/ଜନଜାତି (ଏସ୍‌ସି/ଏସ୍‌ଟି) ସଂଶୋଧନ ଆଇନ, ୨୦୧୮ର ସାମ୍ବିଧାନିକ ବୈଧତାକୁ ସୁପ୍ରିମକୋର୍ଟ ସୋମବାର କାଏମ ରଖିଛନ୍ତି। ଏହି ଆଇନରେ ଏତଲା ରୁଜୁ କରିବା ପୂର୍ବରୁ ପ୍ରାଥମିକ ତଦନ୍ତ ଜରୁରୀ ନୁହେଁ କିମ୍ବା ଏଥିପାଇଁ କୌଣସି ବରିଷ୍ଠ ପୋଲିସ ଅଧିକାରୀଙ୍କ ଅନୁମୋଦନର ଆବଶ୍ୟକତା ନାହିଁ ବୋଲି ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି। ପ୍ରତି ନାଗରିକ ଅନ୍ୟମାନଙ୍କୁ ସମାନ ଭାବେ ବ୍ୟବହାର ଦେଖାଇବା ଓ ଭ୍ରାତୃଭାବ ଚିନ୍ତାଧାରାକୁ ଅନୁପାଳନ କରିବା ଆବଶ୍ୟକ ବୋଲି ଖଣ୍ଡପୀଠର ଅନ୍ୟତମ ବିଚାରପତି ଜଷ୍ଟିସ ରବୀନ୍ଦ୍ର ଭଟ୍ଟ କହିଛନ୍ତି। ତେବେ ଏସ୍‌ସି/ଏସ୍‌ଟି ଆଇନରେ ପ୍ରାଥମିକ ଅନୁଧ୍ୟାନରୁ ଅଭିଯୋଗର ସତ୍ୟତା ନ ମିଳିଲେ ଅଦାଲତ ଆଗୁଆ ଜାମିନ ପ୍ରଦାନ କରିପାରିବେ ବୋଲି ଜଷ୍ଟିସ ଭଟ୍ଟ କହିଛନ୍ତି।
ଅନୁସୂଚିତ ଜାତି/ଜନଜାତି ସଂଶୋଧନ ଆଇନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକାଧିକ ଜନସ୍ବାର୍ଥ ମାମଲା ଦାଏର ହୋଇଥିଲା। କଠୋର ଆଇନ ବ୍ୟବସ୍ଥାକୁ କୋହଳ କରିବା ପାଇଁ ସୁପ୍ରିମକୋର୍ଟ ୨୦୧୮ରେ ରାୟ ଦେଇଥିବାବେଳେ ଏହାକୁ ରଦ୍ଦ କରିବା ଲାଗି କେନ୍ଦ୍ର ସରକାର ଆଇନରେ ସଂଶୋଧନ କରିଥିବା ପିଟିଶନରେ ଦର୍ଶାଯାଇଥିଲା। ଏହା ଉପରେ ରହିତାଦେଶ

ଲାଗି ହୋଇଥିବା ଆବେଦନକୁ ସର୍ବୋଚ୍ଚ ଅଦାଲତ ଗତବର୍ଷ ଜାନୁୟାରୀରେ ଅଗ୍ରାହ୍ୟ କରିଦେଇଥିଲେ। ଏହି ଆଇନରେ ଅପରାଧୀଙ୍କୁ ଆଗୁଆ ଜାମିନ ନ ଦେବା ବ୍ୟବସ୍ଥାକୁ କାଏମ ରଖାଯାଇଥିଲା।
କଠୋର ଏସ୍‌ସି/ଏସ୍‌ଟି ଆଇନକୁ ସରକାରୀ କର୍ମଚାରୀ ଓ ଘରୋଇ ବ୍ୟକ୍ତିବିଶେଷଙ୍କ ବିରୋଧରେ ଅପବ୍ୟବହାର କରାଯାଉଥିବା ଅନୁଭବ କରି ଏତଲା ଦାଏର ପରେ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ନ କରିବା ପାଇଁ ସୁପ୍ରିମକୋର୍ଟ ୨୦୧୮ ରାୟରେ କହିଥିଲେ। ଏହାକୁ ବିରୋଧ କରି ଦେଶବ୍ୟାପୀ ହିଂସାତ୍ମକ ଆନ୍ଦୋଳନ ହୋଇଥିଲା, ଯେଉଁଥିରେ ଅନେକ ମୃତାହତ ହୋଇଥିଲେ। କୋର୍ଟଙ୍କ ଏହି ରାୟକୁ ଅକାମୀ କରିବା ପାଇଁ ପାର୍ଲାମେଣ୍ଟରେ ୨୦୧୮ ଅଗଷ୍ଟ ୯ରେ ଏକ ବିଲ୍‌ ଗୃହୀତ ହୋଇଥିଲା। ପରେ ସର୍ବୋଚ୍ଚ ଅଦାଲତଙ୍କ ୨୦୧୮ ମାର୍ଚ୍ଚ ରାୟର ସମୀକ୍ଷା ଲାଗି କେନ୍ଦ୍ର ସରକାର ଏକ ପିଟିଶନ ଦାଏର କରିଥିଲେ। ସଂଶୋଧିତ ଆଇନରେ ଅନୁସୂଚିତ ଜାତି/ ଜନଜାତିଙ୍କ ପ୍ରତି ଅତ୍ୟାଚାର ମାମଲାରେ ଆଗୁଆ ଜାମିନ ନ ଦେବାର ବ୍ୟବସ୍ଥା ରଖାଯାଇଥିଲା।

Share