ସାରକୋଣା ଗ୍ରାମକୁ ଆବଦ୍ଧାଞ୍ଚଳ ଘୋଷଣା

ଖଇରା,୨୨ା୫(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକର ସାରକୋଣା ଗ୍ରାମରେ ଜଣେ ୮୪ ବର୍ଷୀୟ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ଗୁରୁବାର ଉକ୍ତ ଗ୍ରାମକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି ା ଉପଜିଲାପାଳ ନିଲୁ ମହାପାତ୍ରଙ୍କ ନିର୍ଦ୍ଦେଶ ଜ୍ରମେ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ, ଆଇଆଇସି ସୁବ୍ରତ କୁମାର ବେହେରା, ତହସିଲଦାର ପ୍ରଦୀପ ସାହୁ, ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା.ପ୍ରଭାକର ମିଶ୍ର ପ୍ରମୁଖଙ୍କ ଉପସ୍ଥିତିରେ ଗ୍ରାମର ୧୧ଟି ରାସ୍ତା ସିଲ କରାଯାଇଛି। ସେହିଭଳି ମୁକ୍ତାବେଗୁନିଆ, କେନ୍ଦୁଭଦଳି, କଣ୍ଡରାଗଡ଼ିଆ ଓ ନୟାଖଣ୍ଡି ଗ୍ରାମକୁ ବଫର ଜୋନ୍‌ ଭାବେ ଘୋଷଣା କରାଯାଇଛି। ପ୍ରାକ୍ତନ ପ୍ରଧାନଶିକ୍ଷକଙ୍କ ସଂସ୍ପର୍ଶରେ ଆସିଥିବା ସମ୍ପର୍କୀୟଙ୍କ ସମ୍ପର୍କରେ ପ୍ରଶାସନ ଖୋଳତାଡ଼ ଆରମ୍ଭ କରିଛି। ସେହିଭଳି ମୋଟ୍‌ ୩୦ଜଣଙ୍କ ନିକଟରୁ ସ୍ବାବ୍‌ ନମୁନା ସଂଗ୍ରହ କରାଯାଇଛି।