Categories: ଜାତୀୟ

ସାରା ଭାରତରେ କରୋନା ଆତଙ୍କ

ନୂଆଦିଲ୍ଲୀ/ବେଙ୍ଗାଲୁରୁ,୧୨ା୩(ପି.ଟି.): ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୁଧବାର ୬୦ରେ ପହଞ୍ଚତ୍ଛି। କର୍ନାଟକର କଳାବୁର୍‌ଗୀରେ ଜଣେ ୭୬ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କୁ କରୋନା ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ମହମ୍ମଦ ହୁସେନ ସିଦ୍ଦିକୀ ନାମକ ବ୍ୟକ୍ତିଙ୍କର ମଙ୍ଗଳବାର ସରକାରୀ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା। ତାଙ୍କ ସ୍ବାବ୍‌ ନମୁନା ପରୀକ୍ଷା ପାଇଁ ବେଙ୍ଗାଲୁରୁ ପଠାଯାଇ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସିଦ୍ଦିକୀ ନିକଟରେ ସୌଦି ଆରବରୁ ଫେରିଥିଲେ। ଅନ୍ୟପକ୍ଷରେ କରୋନା ଭୂତାଣୁ ସଂକ୍ରମଣରେ ସିଦ୍ଦିକୀଙ୍କ ମୃତ୍ୟୁ ଖବରକୁ ରାଜ୍ୟ ସରକାର ଖଣ୍ଡନ କରିଛନ୍ତି। ତାଙ୍କ ମୃତ୍ୟୁକୁ ନେଇ ଗଣମାଧ୍ୟମରେ ଗୁଜବ ପ୍ରଚାର ହେଉଥିବା ରାଜ୍ୟ ସ୍ବାସ୍ଥ୍ୟ କମିଶନର ପଙ୍କଜ କୁମାର ପାଣ୍ଡେ କହିଛନ୍ତି। ସ୍ବାବ୍‌ ପରୀକ୍ଷା ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ସେ କହିଛନ୍ତି।
ବୁଧବାର ଦିଲ୍ଲୀ ଓ ରାଜସ୍ଥାନରୁ ଜଣେ ଲେଖାଏ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଭାରତରେ ଏହି ଭୂତାଣୁ ସଂକ୍ରମିତ ରୋଗୀ ସଂଖ୍ୟା ୬୦ରେ ପହଞ୍ଚତ୍ଛି। ବୁଧବାର ସୁଦ୍ଧା ଦିଲ୍ଲୀରେ ମୋଟ ୫ ଜଣ ସଂକ୍ରମିତ ହୋଇଥିବାବେଳେ ଉତ୍ତରପ୍ରଦେଶରେ ୯ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ୬୦ ଜଣଙ୍କ ମଧ୍ୟରେ ୧୬ ଜଣ ଇଟାଲୀୟ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କର୍ନାଟକରେ ୪, ମହରାଷ୍ଟ୍ରରେ ୨ ଓ ଲଦାଖରେ ଜଣ କୋଭିଡ଼-୧୯ରେ ସଂକ୍ରମିତ। ସେହିପରି ରାଜସ୍ଥାନ, ତେଲଙ୍ଗାନା, ତାମିଲନାଡୁ, ଜମ୍ମୁ-କଶ୍ମୀର ଓ ପଞ୍ଜାବରେ ଜଣେ ଲେଖାଏ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ପରୀକ୍ଷାରୁ ଜଣାପଡିଛି। କେରଳରେ ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କଠାରେ କରୋନା ଚିହ୍ନଟ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଭଲ ହୋଇ ଘରକୁ ଫେରିଲେଣି। ଡେଲ୍‌ ଓ ମାଇଣ୍ଡଟ୍ରି ଆଇଟି କମ୍ପାନୀରେ କାର୍ଯ୍ୟ କରୁଥିବା ୨ କର୍ମଚାରୀଙ୍କ ଠାରେ କରୋନା ପଜିଟିଭ୍‌ ଥିବା ପରୀକ୍ଷାରୁ ଜଣାପଡିଛି। ଡେଲ୍‌ କର୍ମଚାରୀ ଆମେରିକା ଓ ଟେକ୍ସାସ ଗସ୍ତ କରିଥିବାବେଳେ ମାଇଣ୍ଡଟ୍ରି କର୍ମଚାରୀ ଜଣକ ବିଦେଶ ଗସ୍ତରେ ଯାଇଥିଲେ।
ସତର୍କତା ପଦକ୍ଷେପ ସ୍ବରୂପ କେନ୍ଦ୍ର ସରକାର ମଙ୍ଗଳବାର ଆଉ ୩ଟି ଦେଶର ନାଗରିକଙ୍କ ଭାରତ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି। ଫ୍ରାନ୍ସ, ଜର୍ମାନୀ ଓ ସ୍ପେନ୍‌ ନାଗରିକଙ୍କ ନିୟମିତ ତଥା ଇ-ଭିଜାକୁ ସ୍ଥଗିତ କରାଯାଇଛି। ପୂର୍ବରୁ ଚାଇନା, ଇଟାଲୀ, ଇରାନ, ଦକ୍ଷିଣ କୋରିଆ, ଜାପାନ ନାଗରିକଙ୍କ ଭିଜା ସ୍ଥଗିତ ରଖାଯାଇଥିଲା। ଉପରୋକ୍ତ ଦେଶକୁ ଭ୍ରମଣରେ ନ ଯିବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦେଶବାସୀଙ୍କୁ ପରାମର୍ଶ ଦିଆଯାଇଛି।

Share