Categories: ଜାତୀୟ

ସାର୍କ ଭିଡିଓ କନ୍‌ଫରେନ୍ସ ଆଜି

ନୂଆଦିଲ୍ଲୀ/ଇସ୍‌ଲାମାବାଦ, ୧୫ା୩(ପି.ଟି.): ଘାତକ କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ଲାଗି ମିଳିତ ରଣକୌଶଳ ପ୍ରସ୍ତୁତି ନିମନ୍ତେ ରବିବାର ଅପରାହ୍ନ ୫ଟାରେ ସାର୍କ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଭିଡିଓ କନ୍‌ଫରେନ୍ସରେ ଏକାଠି ହେବେ। ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀରେ ଭାରତର ନେତୃତ୍ୱ ନେବେ। ସାର୍କ (ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଘ) ସଦସ୍ୟ ରାଷ୍ଟ୍ରଗୁଡ଼ିକର ଭିଡିଓ କନ୍‌ଫରେନ୍ସ ପାଇଁ ମୋଦି ଶୁକ୍ରବାର ଆହ୍ବାନ ଦେଇଥିବା ବେଳେ ଏଥିରେ ଯୋଗଦେବା ଲାଗି ପାକିସ୍ତାନ ସମେତ ସବୁ ସଦସ୍ୟ ରାଷ୍ଟ୍ର ଆଗ୍ରହ ପ୍ରକାଶ କରିଛି। ମୋଦିଙ୍କ ପ୍ରସ୍ତାବକୁ ସମସ୍ତ ସାର୍କ ସଦସ୍ୟ ରାଷ୍ଟ୍ର ସମର୍ଥନ ଜଣାଇଛନ୍ତି। କରୋନାଜନିତ ବିପଦ ହ୍ରାସ ଲାଗି ମିଳିତ ଉଦ୍ୟମ ଆବଶ୍ୟକ ବୋଲି ଇସ୍‌ଲାମାବାଦ ସ୍ବୀକାର କରିଛି। ପାକ୍‌ ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ସହଯୋଗୀ (ସ୍ବାସ୍ଥ୍ୟ) ଜାଫର ମିର୍ଜା ସାର୍କ ସଦସ୍ୟ ରାଷ୍ଟ୍ରଙ୍କ ଭିଡିଓ କନ୍‌ଫରେନ୍ସରେ ଯୋଗଦେବେ ବୋଲି ଏହାର ବହିର୍ବ୍ୟାପାର କାର୍ଯ୍ୟାଳୟର ମୁଖପାତ୍ର ଆଇଶା ଫାରୁକୀ ଟୁଇଟ୍‌ କରିଛନ୍ତି।
କରୋନା ମୁକାବିଲା ଦିଗରେ ସାର୍କ ସଦସ୍ୟମାନେ ବିଶ୍ୱ ପାଇଁ ଏକ ଉଦାହରଣ ସୃଷ୍ଟି କରିବା ନିମନ୍ତେ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ଆହ୍ବାନ ଦେଇଥିଲେ। ଏଥିପାଇଁ ଭିଡିଓ କନ୍‌ଫରେନ୍ସ ଜରିଆରେ ୮ ସଦସ୍ୟ ରାଷ୍ଟ୍ର ଏକ ମିଳିତ ରଣନୀତି ପ୍ରସ୍ତୁତ କରିବାକୁ ସେ ଆହ୍ବାନ ଦେଇଥିଲେ। ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେ, ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲି, ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି, ଭୁଟାନ ପ୍ରଧାନମନ୍ତ୍ରୀ ଲୋଟେ ଶେରିଙ୍ଗ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବଂ ଆଫଗାନିସ୍ତାନ ସରକାର ମୋଦିଙ୍କ ପ୍ରସ୍ତାବକୁ ସ୍ବାଗତ କରିଛନ୍ତି।

Share