ଅଷ୍ଟ୍ରେଲିଆର ଜଣେ ବ୍ୟକ୍ତି ସମୁଦ୍ରରେ ମନ ଆନନ୍ଦରେ ବୋଟିଂ କରୁଥିଲେ। କିନ୍ତୁ ସେ ଜାଣି ନ ଥିଲେ ମୃତ୍ୟୁ ତାଙ୍କ ପଛେ ପଛେ ଘୂରି ବୁଲୁଛି। ସୌଭାଗ୍ୟ ବଶତଃ ସେ ଏଥିରୁ ବଞ୍ଚି ଯାଇଛନ୍ତି। ଗୋଟିଏ ଡ୍ରୋନ୍ କ୍ୟାମେରା ହିଁ ଏହି ବ୍ୟକ୍ତିଙ୍କ ଜୀବନ ରକ୍ଷା କରିଦେଇଛି। ଏହି ଦୃଶ୍ୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଛାତି ଥରି ଉଠିବ।
ସମୁଦ୍ରରେ ବୋଟିଂ କରୁଥିବା ସେହି ବ୍ୟକ୍ତିଙ୍କ ଗତିବିଧି ଉପରେ କୂଳରେ ଥିବା କ୍ରିଷ୍ଟୋଫର ଜୟସ୍ ନାମକ ଜଣେ ବ୍ୟକ୍ତି ନଜର ରଖିଥିଲେ। ଯାହା ଦେଖିଲେ ସେଥିରେ ତାଙ୍କର ହୋସ୍ ଉଡ଼ିଗଲା। ସେ ଦେଖୁଥିଲେ, ବୋଟିଂ କରୁଥିବା ବ୍ୟକ୍ତି ଜଣଙ୍କୁ ଗୋଟିଏ ସାର୍କ ଗିଳିବା ପାଇଁ ପଛେ ପଛେ ତୀବ୍ର ଗତିରେ ଗୋଡ଼ାଉଛି। କିନ୍ତୁ ସେହି ବ୍ୟକ୍ତିଙ୍କର ଏଥିପ୍ରତି ନଜର ନ ଥାଏ। ସେ ତାଙ୍କ ବୋଟିଂରେ ବ୍ୟସ୍ତ ଥା’ନ୍ତି। ଏହା ଦେଖି ଜୟସ ଡ୍ରୋନ୍ରେ ସ୍ପିକର ଲଗାଇ ବାର୍ତ୍ତା ପଠାଇଲେ ଏବଂ ବଡ଼ ପାଟିରେ ସାର୍କ, ସାର୍କ, କହି ଚିଲେଇବାକୁ ଲାଗିଲେ। ତୁରନ୍ତ ପାଣିରୁ ଚାଲି ଆସିବାକୁ ସେହି ବ୍ୟକ୍ତିଙ୍କୁ କହିଲେ। ଏହି ବାର୍ତ୍ତା ପାଇବା ପରେ ବ୍ୟକ୍ତିଜଣକ କୂଳକୁ ଫେରିଆସିଥିଲେ।