ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ: ନକଲି ଶିକ୍ଷକ ଛାନିଆ

ବୌଦ୍ଧ,୧୧।୯(ସ୍ବ.ପ୍ର): ରାଜ୍ୟରେ ଜାଲ ସାର୍ଟିଫିକେଟ ବଳରେ ଶିକ୍ଷକତା କରୁଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଛି। ଏ ନେଇ ସାରା ରାଜ୍ୟରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ମୁତାବକ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କ୍ରମରେ ବୌଦ୍ଧ ଜିଲାରେ ମଧ୍ୟ ୧୧ ତାରିଖରେ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି ଯାଞ୍ଚ କାମ ଗୁରୁବାର ମଧ୍ୟ କରାଯିବ । ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲା ଶିକ୍ଷା ଅଧିକାରୀ, ଜିଲା ପ୍ରକଳ୍ପ ସଂଯୋଜକ ଓ ଜିଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟମାଳ ବିଇଓ ଏହି ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଜିଲାର ତିନୋଟି ବ୍ଲକରେ ୨୦୧୧ ମସିହା ଠାରୁ ନିୟୋଜିତ ହୋଇଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ମୂଳ ପ୍ରମାଣପତ୍ର ଯାଞ୍ଚ କରାଯାଉଛି । ପ୍ରଥମ ଦିବସରେ ସମୁଦାୟ ୩୫୦ ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଡକାଯାଇଥିବାବେଳେ ୩୪୬ ଜଣ ନିଜ ନିଜ ପ୍ରମାଣପତ୍ର ଧରି ଉପସ୍ଥିତ ହୋଇଥିଲେ । ୪ ଜଣ ଅନୁପସ୍ଥିତ ଥିଲେ। ସେହିପରି ଗୁରୁବାର ଯାଞ୍ଚ ପ୍ରକ୍ରିୟାର ଶେଷ ଦିବସରେ ୪୫୦ ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ପ୍ରମାଣପତ୍ର ଧରି ଆସିବାକୁ ଡକାଯାଇଥିବା ଜଣାପଡିଛି। ଏହି ପ୍ରକ୍ରିୟା ଶେଷ ହେବା ପରେ ଜିଲାରେ କେତେଜଣ ନକଲି ଶିକ୍ଷକ ରହିଛନ୍ତି ଜଣାପଡିବ । ତେବେ ଆଜିର ଯାଞ୍ଚ ପ୍ରକ୍ରିୟାରେ ଅନୁପସ୍ଥିତ ଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ପକ୍ଷରୁ ପୂର୍ବରୁ ଦାଖଲ କରାଯାଇଥିବା ପ୍ରମାଣପତ୍ର ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି। ଆହୁରି ମଧ୍ୟ ଯାଞ୍ଚ ପୂର୍ବରୁ କଣ୍ଟମାଳ ବ୍ଲକର ଜଣେ ଶିକ୍ଷକ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବା ଜାଣି କିଛି ଦିନ ପୂର୍ବରୁ ଇସ୍ତଫା ଦେଇଥିବା ଜଣାପଡିଛି । କିନ୍ତୁ ଏ ନେଇ ଜିଲା ଶିକ୍ଷା ବିଭାଗ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ ।

Share