ବୈକୁଣ୍ଠନାଥ ମିଶ୍ର
ଅଧୁନା ଭାରତର ଶିକ୍ଷା କ୍ଷେତ୍ରରେ ଧାର୍ମିକ ଅସଙ୍ଗତି ଭୀଷଣ ଭାବେ ପରିଲକ୍ଷିତ ହେଉଛିି। ଏହା ଧାର୍ମିକ ସହାବସ୍ଥାନ ପାଇଁ ଏକ ଆହ୍ବାନ। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଡ. ଫିରୋଜ ଖାନ୍ଙ୍କ ସଂସ୍କୃତ ଅଧ୍ୟାପକ ରୂପେ ନିଯୁକ୍ତିକୁ କେନ୍ଦ୍ରକରି ଶିକ୍ଷା କ୍ଷେତ୍ରରେ ଏକ ଝଡ଼ ସୃଷ୍ଟି ହୋଇଛି। ବିଶ୍ୱବିଦ୍ୟାଳୟର ଏକ ଛାତ୍ରଗୋଷ୍ଠୀ ଆନ୍ଦୋଳନ କରି ଶିକ୍ଷାକ୍ଷେତ୍ରରେ ଅଚଳାବସ୍ଥା ସୃଷ୍ଟି କରିଛନ୍ତି। ଏହି ଛାତ୍ରଗୋଷ୍ଠୀର ଅଭିଯୋଗ ହେଲା ସଂସ୍କୃତ ଶିକ୍ଷା ଲାଭ କରିବା ଓ ଶିକ୍ଷାଦାନ କରିବା ହିନ୍ଦୁମାନଙ୍କର ଏକାନ୍ତ ଅଧିକାର। ଏଥିରେ ମୁସଲମାନ ଓ ଅନ୍ୟ ଅଣହିନ୍ଦୁଙ୍କର ଯୋଗଦାନ ଗ୍ରହଣୀୟ ନୁହେଁ। ସେମାନଙ୍କର ଯୁକ୍ତି ହେଲା ସଂସ୍କୃତରେ ହିନ୍ଦୁ ଦେବଦେବୀଙ୍କ ଉପରେ ଅନେକ ବିଷୟ ରହିଛି, ଯାହା ଅଣହିନ୍ଦୁଙ୍କର ବିଶ୍ୱାସର ପରିପନ୍ଥୀ। ଏହି ଗ୍ରନ୍ଥଗୁଡ଼ିକୁ ଜଣେ ମୁସଲମାନ ଶିକ୍ଷକ କିପରି ସମୁଚିତ ଭାବେ ଶିକ୍ଷାଦାନ କରିପାରିବେ। ସେଥିରେ ଦିଆଯାଇଥିବା ହିନ୍ଦୁ ବିଶ୍ୱାସ ଓ ପରମ୍ପରାକୁ ସେମାନେ କେତେ ଦକ୍ଷତାର ସହ ପରିଚାଳନା କରିପାରିବେ। ସେହି ଛାତ୍ରଗୋଷ୍ଠୀକୁ ବିରୋଧ କରି ଆଉ ଏକ ଛାତ୍ରଗୋଷ୍ଠୀ ଡ. ଖାନ୍ଙ୍କ ସପକ୍ଷରେ ସମାନ୍ତରାଳ ଆନ୍ଦୋଳନ ଚଳାଇଥିବାର ଜଣାଯାଏ। ସେମାନଙ୍କ ଯୁକ୍ତି ହେଲା ଶିକ୍ଷା ସାର୍ବଜନୀନ ଏବଂ ଏଥିରେ ଧର୍ମ ଓ ସମ୍ପ୍ରଦାୟର ଭେଦଭାବ ନ ରହିବା ଉଚିତ। ଯଦି ଜଣେ ଉଚ୍ଚତର ଜ୍ଞାନ ବଳରେ ସଂସ୍କୃତ ଶାସ୍ତ୍ରକୁ ଉତ୍ତମ ଉପସ୍ଥାପନା ମାଧ୍ୟମରେ ବୋଧଗମ୍ୟ କରାଇପାରିଲେ ତେବେ ଅସୁବିଧା କେଉଁଠି?
ଏଠାରେ ସ୍ମରଣ କରାଯାଇପାରେ ଯେ ଭାରତ ଦୀର୍ଘଦିନ ଧରି ମୁସଲମାନ ଶାସନାଧୀନ ଥିଲା। ସେହି ଶାସକମାନଙ୍କ ମଧ୍ୟରୁ ଅନେକଙ୍କ ରାଜସଭାରେ ପାର୍ସୀ ଓ ଉର୍ଦ୍ଦୁ ପଣ୍ଡିତଙ୍କ ମଧ୍ୟରେ ହିନ୍ଦୁ ପଣ୍ଡିତମାନଙ୍କୁ ମଧ୍ୟ ସମାଦର କରାଯାଉଥିଲା। ମୋଗଲ ସମ୍ରାଟ ଆକବରଙ୍କ ରାଜସଭାରେ ବିଜ୍ଞ ହିନ୍ଦୁ ପଣ୍ଡିତ ଓ ବିଦୁଷକଙ୍କୁ ନିଯୁକ୍ତ କରାଯାଇଥିଲା। ସେମାନଙ୍କ ପରାମର୍ଶକ୍ରମେ ସର୍ବଧର୍ମ ସମନ୍ବୟରେ ସମ୍ରାଟ ଆକବର ଦୀନ-ଇ-ଲାହୀ ନାମକ ଏକ ନୂତନ ଧର୍ମ ପ୍ରଚାର କରିଥିଲେ। ସେହିପରି ସମ୍ରାଟ ଶାହାଜାହାନଙ୍କ ଜ୍ୟେଷ୍ଠପୁତ୍ର ଦାରାସିକୋ କଶ୍ମୀର ଉପତ୍ୟକାରେ ବହୁ ସଂସ୍କୃତ ଓ ଉର୍ଦ୍ଦୁ ପଣ୍ଡିତଙ୍କ ଗହଣରେ ଉପନିଷଦକୁ ପାର୍ସୀ ଭାଷାରେ ଅନୁବାଦ କରିଥିଲେ। ଆଜି ମଧ୍ୟ ବହୁ ମୁସଲମାନ ବିଜ୍ଞ ବ୍ୟକ୍ତି ଅଛନ୍ତି, ଯେଉଁମାନେ ରାମାୟଣ, ମହାଭାରତ ଓ ଭାଗବତ ଆଲୋଚନା କରି ସାରଗର୍ଭକ ପ୍ରବଚନ ଦେଇଥାନ୍ତି। ଆମ ଗ୍ରାମ ନିକଟରେ ଥିବା ଏକ ମୁସଲମାନ ବସ୍ତିର ଶେକ୍ ଆବିରୁଦ୍ଦିନ ନାମକ ଜଣେ ଜ୍ଞାନୀ, ଗୁଣୀ ବ୍ୟକ୍ତି ଯେତେବେଳେ ରାମାୟଣ, ମହାଭାରତକୁ ଆଲୋଚନା, ପର୍ଯ୍ୟାଲୋଚନା ଓ ସମୀକ୍ଷା କରି ସାରଗର୍ଭକ ଭାଷଣ ଦିଅନ୍ତି, ତାହା କୌଣସି ହିନ୍ଦୁ ପଣ୍ଡିତଙ୍କ ଯେ ସମକକ୍ଷ ଏହା ଅନସ୍ବୀକାର୍ଯ୍ୟ। ପୂର୍ବତନ ମନ୍ତ୍ରୀ ଶେକ୍ ମତଲୁବ ଅଲ୍ଲୀଙ୍କର ଏପରି ଜ୍ଞାନ ତ ସର୍ବଜନବିଦିତ।
ଖ୍ରୀଷ୍ଟିଆନ ସୋସାଇଟିରେ ମଧ୍ୟ ସଂସ୍କୃତର ଆଦର କୌଣସି ଗୁଣରେ କମ୍ ନୁହେଁ। ଡ. ଶ୍ରୀରାମଚନ୍ଦ୍ର ଦାଶ ବର୍ଲିନରେ ଡକ୍ଟରେଟ କରୁଥିବା ସମୟରେ ତାଙ୍କୁ କୁହାଗଲା ଯେ ପୃଥିବୀର ଏକ ଶାସ୍ତ୍ରୀୟ ଭାଷାରେ ତାଙ୍କର ଦକ୍ଷତା ଥିବା ଆବଶ୍ୟକ। ସେ ସଂସ୍କୃତରେ ଥିବା ତାଙ୍କ ଦକ୍ଷତାର ପ୍ରମାଣପତ୍ର ଦାଖଲ କଲେ ଏବଂ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ସଂସ୍କୃତ ଏକ ଶାସ୍ତ୍ରୀୟ ଭାଷା ରୂପେ ଗୃହୀତ ହୋଇଥିଲା। ସମ୍ପ୍ରତି ଏସିଆଟିକ ସୋସାଇଟିର ପ୍ରlତିଷ୍ଠାତା ଉଇଲିୟମ ଜୋନସ ମତବ୍ୟକ୍ତ କରନ୍ତି ଯେ, ସଂସ୍କୃତ ଗ୍ରୀକ ଓ ଲାଟିନ୍ଠାରୁ ଅଧିକ ବହୁଳ ପ୍ରସାରିତ ଭାଷା। ଏହାର ପବିତ୍ର ଦର୍ଶନ ଉପନିଷଦ୍ରେ ପ୍ରତିଫଳିତ। ଏହି ଭାଷା ଜାତିଧର୍ମ ନିର୍ବିଶେଷରେ ସମସ୍ତଙ୍କ ହୃଦୟରେ ଏକ ପବିତ୍ର ତଥା ସ୍ବର୍ଗୀୟ ଭାବନା ସୃଷ୍ଟି କରେ। ତେଣୁ ଏହା କୌଣସି ନିର୍ଦ୍ଦିଷ୍ଟ ଧର୍ମ ବା ସମ୍ପ୍ରଦାୟ ମଧ୍ୟରେ ସୀମିତ ରହିପାରିବ ନାହିଁ। ଆଜି ମଧ୍ୟ ବହୁ ପାଶ୍ଚାତ୍ୟ ବିଶ୍ୱବିଦ୍ୟାଳୟରେ ସଂସ୍କୃତ ଶିକ୍ଷା ପାଠ୍ୟକ୍ରମରେ ସ୍ଥାନ ପାଇଛି। ଏହାର କାରଣ ସର୍ବେଷାଂ ଜନନୀ ସଂସ୍କୃତ। ଏହାକୁ କୌଣସି ନିର୍ଦ୍ଦିଷ୍ଟ ଧର୍ମର ଗଣ୍ଡି ମଧ୍ୟରେ ସୀମାବଦ୍ଧ କରାଯାଇପାରିବ ନାହିଁ। ସବୁ ଧର୍ମର ସଂକୀର୍ଣ୍ଣତାର ଊର୍ଦ୍ଧ୍ୱରେ ସଂସ୍କୃତର ସ୍ଥାନ। ପ୍ରଫେସର ମାକ୍ସ ମୁଲରଙ୍କ ସଂସ୍କୃତ ଭାଷାକୁ ବ୍ୟାପକତା ପ୍ରଦାନ କରିବାର ଅବଦାନ ଚିରସ୍ମରଣୀୟ।
ପଣ୍ଡିତ ମଦନ ମୋହନ ମାଲବ୍ୟ ଯେତେବେଳେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଭିତ୍ତି ସ୍ଥାପନ କଲେ ସେତେବେଳେ ସେ ଆଶା କରିଥିଲେ ଯେ, ଉକ୍ତ ବିଶ୍ୱବିଦ୍ୟାଳୟ ଜାତିଧର୍ମର ସଂକୀର୍ଣ୍ଣତାର ଊର୍ଦ୍ଧ୍ୱରେ ରହି ପ୍ରାଚୀନ ନାଳନ୍ଦା ବିଶ୍ୱବିଦ୍ୟାଳୟର ଅନୁରୂପ ହୋଇ ଏକ ସମୟରେ ବିଜ୍ଞାନ ଓ ବୈଷୟିକ ଶିକ୍ଷାର କେନ୍ଦ୍ରବିନ୍ଦୁ ପାଲଟିବ। ତାଙ୍କ ମତରେ ଏ ପବିତ୍ର କାଶୀକ୍ଷେତ୍ର ଭଗବାନ ଶିବଙ୍କର ସ୍ଥାନ। ଭଗବାନ ଶିବ କେବେହେଲେ ସୁର ଓ ଅସୁର ମଧ୍ୟରେ ପ୍ରଭେଦ ନ ରଖି ସମସ୍ତଙ୍କ ପ୍ରାର୍ଥନା ଓ ତପସ୍ୟା ଗ୍ରହଣ କରି ସେମାନଙ୍କୁ ଈପ୍ସିତ ବର ପ୍ରଦାନ କରିଛନ୍ତି। ମାଲବ୍ୟଜୀଙ୍କ ଉଦ୍ଦେଶ୍ୟ ଥିଲା ଏ ଅନୁଷ୍ଠାନ କୌଣସି ଜାତିଧର୍ମ ମଧ୍ୟରେ ସୀମିତ ନ ରହି ଉଚ୍ଚତର ଶିକ୍ଷାଦାନର ଅଭୀପ୍ସା ପୋଷଣ କରିବ। ସଂସ୍କୃତ ଭାଷା ଜାତିଧର୍ମ ନିର୍ବିଶେଷରେ ଗ୍ରହଣୀୟ ହୋଇପାରିଲେ ଦେଶରେ ଏକ ଅପୂର୍ବ ଭାଇଚାରା ସୃଷ୍ଟି ହେବ। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ. କରଣ ସିଂ ମତ ଦିଅନ୍ତି ଯେ, ଡ. ଫିରୋଜ ଖାନ୍ ଜଣେ ଯୋଗ୍ୟ ବ୍ୟକ୍ତି। ତାଙ୍କର ଉକ୍ତ ଅନୁଷ୍ଠାନରେ ଯୋଗଦାନ ଶିକ୍ଷା ଦୃଷ୍ଟିରୁ ତ ଅତ୍ୟନ୍ତ ଗ୍ରାହ୍ୟ। ଅଧିକନ୍ତୁ ଭାରତର ଧର୍ମନିରପେକ୍ଷତା ପ୍ରତି ଏକ ବିରାଟ ସମର୍ଥନ। ଭିନ୍ନତା ମଧ୍ୟରେ ଏକତା ହିଁ ଭାରତର ବୈଶିଷ୍ଟ୍ୟ। ଏହି ଉକ୍ତିର ଯଥାର୍ଥତା ଅଧିକ ତ୍ୱରାନ୍ବିତ ହେବ।
ବାସ୍ତବତା ଦୃଷ୍ଟିରୁ ହିନ୍ଦୁ ଓ ମୁସଲମାନଙ୍କର ସଂସ୍କୃତ ଓ ଉର୍ଦ୍ଦୁ ଶିକ୍ଷା କରିବା ଏକ ସାଧାରଣ ଘଟଣା। ଓଡ଼ିଶାର ଦେବଗଡ଼ ଜିଲାରେ ଏକ ପ୍ରତିଷ୍ଠିତ ମାଧ୍ୟମିକ ବିଦ୍ୟାଳୟରେ ଜଣେ ମୁସଲମାନ ଶିକ୍ଷୟିତ୍ରୀ ଆଜକୁ ୨୭ ବର୍ଷ ହେଲା ନିରବଚ୍ଛିନ୍ନ ଭାବେ ସଂସ୍କୃତ ଶିକ୍ଷାଦାନ କରିଆସୁଛନ୍ତି। ତାଙ୍କ ଶିକ୍ଷା ପଦ୍ଧତି ଅତି ଉଚ୍ଚକୋଟୀର ଏବଂ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ, ଶିକ୍ଷକ ଓ ଅଭିଭାବକ ମହଲରେ ତାଙ୍କ ଲୋକପ୍ରିୟତା ଅନ୍ୟ ହିନ୍ଦୁ ଶିକ୍ଷକଙ୍କ ତୁଳନାରେ ଯଥେଷ୍ଟ ଅଧିକ। ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌ ସହରର ଅନତିଦୂରରେ ଅଛି ଏକ ଉର୍ଦ୍ଦୁ ବିଦ୍ୟାଳୟ, ଯାହାର ଶତକଡା ୭୫ ଭାଗ ଛାତ୍ରୀଛାତ୍ର ହିନ୍ଦୁ। ସେମାନଙ୍କ ମଧ୍ୟରେ ଅଛନ୍ତି ୧୦ ଜଣ ବାଳିକା। ରାଜସ୍ଥାନର ଟୋଙ୍କ ଜିଲାରେ ଏକ ପ୍ରତିଷ୍ଠିତ ମହିଳା ମହାବିଦ୍ୟାଳୟରେ ଛୋଟୁ ମୀନା ନାମକ ଜଣେ ଅଧ୍ୟାପିକା ଦୀର୍ଘଦିନ ଧରି ଉର୍ଦ୍ଦୁ ଭାଷା ଅଧ୍ୟାପନା କରୁଛନ୍ତି। ସେଠାରେ ୧୫ ଜଣ ହିନ୍ଦୁ ଛାତ୍ରୀ ମଧ୍ୟ ଉର୍ଦ୍ଦୁ ପଢୁଛନ୍ତି। ଅନ୍ୟତମ ଅଧ୍ୟାପିକା କୃଷ୍ଣକୁମାରୀ ମୀନା ରାଜସ୍ଥାନର ସେହି ଟୋଙ୍କର ଜିଲାର ଅନ୍ୟ ଏକ ପ୍ରସିଦ୍ଧ ମହାବିଦ୍ୟାଳୟର ଉର୍ଦ୍ଦୁ ଭାଷା ଅଧ୍ୟାପନା କରିଆସୁଛନ୍ତି। ସେଠାରେ ଉର୍ଦ୍ଦୁ ପଢୁଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶତକଡା ୪୦ ଭାଗ ହିନ୍ଦୁ। ରାଜସ୍ଥାନର କୋଟା ଜିଲାର ଏକ ସରକାରୀ ମହାବିଦ୍ୟାଳୟରେ ସୁନୀତା ଚାଓ୍ବଲା ନାମ୍ନୀ ଜଣେ ୩୮ ବର୍ଷୀୟା ଅଧ୍ୟାପିକା ଦୀର୍ଘଦିନ ଧରି ଉର୍ଦ୍ଦୁ ଭାଷା ଶିକ୍ଷାଦାନ କରି ଆସୁଛନ୍ତି। ରାଜସ୍ଥାନ ବିଶ୍ୱବିଦ୍ୟାଳୟରେ ଆଉ ଜଣେ ଯୁବ ପ୍ରାଧ୍ୟାପକ ହେଉଛନ୍ତି ୩୨ ବର୍ଷୀୟ ମୁକେଶ କୁମାର। ସେ ଜଣେ ହିନ୍ଦୁ ଯୁବକ ହୋଇ ମଧ୍ୟ ଉର୍ଦ୍ଦୁ ଅଧ୍ୟାପନା କରୁଛନ୍ତି। ସେହି ରାଜସ୍ଥାନର ଜୟପୁର ସହର ଉପକଣ୍ଠରେ ଅଛି ଠାକୁର ହରିସିଂ ଶେଖାଓ୍ବତ୍ ପ୍ରବେଶିକା ସଂସ୍କୃତ ବିଦ୍ୟାଳୟ। ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ୨୭୭ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ଶତକଡା ପ୍ରାୟ ୮୦ ଭାଗ ଅର୍ଥାତ୍ ୨୨୨ ଜଣ ହେଉଛନ୍ତି ମୁସଲମାନ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବେଦନିଧି ଶର୍ମା କହନ୍ତି, ଏହି ଛାତ୍ରୀଛାତ୍ରମାନେ ସଂସ୍କୃତ, ହିନ୍ଦୀ, ପାର୍ସୀ ଓ ଉର୍ଦ୍ଦୁ ଭାଷା ଭଲ ଭାବରେ ଜାଣନ୍ତି। ସେମାନେ ସଂସ୍କୃତରେ ସ୍ବଚ୍ଛନ୍ଦରେ କଥା ହେବା ସହ ସୁନ୍ଦର ଭାବେ ଶ୍ଳୋକ ଆବୃତ୍ତି କରିପାରନ୍ତି।
ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ସଂସ୍କୃତ ଅଧ୍ୟାପକ ଭାବେ ଯୋଗଦେଇଥିବା ଡ. ଫିରୋଜ ଖାନ୍ ଏପରି ଏକ ପରିବାରରୁ ଆସିଛନ୍ତି, ଯେଉଁ ପରିବାରରେ ସଂସ୍କୃତ ଶିକ୍ଷା ଓ ଭାଷାକୁ ଉର୍ଦ୍ଦୁ ସହ ସମାନ ଗୁରୁତ୍ୱ ଦିଆଯାଏ। ତାଙ୍କ ପିତା ଗ୍ରାମ ମନ୍ଦିରରେ ସଂସ୍କୃତ ସ୍ତୋତ୍ର ଓ ହିନ୍ଦୀ ଭଜନ ବଂଶାନୁକ୍ରମିକ ଭାବେ ପରିବେଷଣ କରିଆସୁଛନ୍ତି। ତାଙ୍କର ଅନ୍ୟ ଜଣେ ଭ୍ରାତା କଶ୍ମୀର ବିଶ୍ୱବିଦ୍ୟାଳୟରେ ସଂସ୍କୃତ ଅଧ୍ୟାପକ ରୂପେ କାର୍ଯ୍ୟରତ। ସଂସ୍କୃୃତ ଭଳି ଏକ ପ୍ରାଚୀନ ତଥା ସର୍ବଜନଗୃହୀତ ଭାଷାକୁ କୌଣସି ଧର୍ମ ବା ସମ୍ପ୍ରଦାୟ ମଧ୍ୟରେ ସୀମିତ ରଖିବାର ପ୍ରୟାସ କରା ନ ଯାଉ। ସଂସ୍କୃତ କେବଳ ଭାରତୀୟ ଭାଷାମାନଙ୍କର ଜନନୀ ନୁହେଁ, ବରଂ ଏହା ସମସ୍ତ ଶାସ୍ତ୍ରୀୟ ଭାଷା ମଧ୍ୟରେ ସର୍ବଶ୍ରେଷ୍ଠ। ଏହା ଭାରତରେ ଲୋକଭାଷାର ମାନ୍ୟତା ଲାଭ କରିଛି। ଓଡ଼ିଶା ଲୋକ ଭାଷା ପ୍ରଚାର ସମିତି ପକ୍ଷରୁ ଏକ ଲୋକପ୍ରିୟ ସ୍ଲୋଗାନ ଦିଆଯାଉଛି। ତାହା ହେଲା- ‘ପଠତୁ ସଂସ୍କୃତମ୍, ବଦତୁ ସଂସ୍କୃତମ୍ ଗୃହେ ଗୃହେ ଚ ପୁନରପି।’ ସଂସ୍କୃତ ଆଦୌ ଏକ ମୃତ ଭାଷା ନୁହେଁ। ଏହାର କ୍ରମବର୍ଦ୍ଧମାନ ବ୍ୟାପୃତି ଓ ଗ୍ରହଣୀୟତା ଏହାକୁ ଦିନେ ସର୍ବଶ୍ରେଷ୍ଠ ଭାଷାର ମର୍ଯ୍ୟାଦା ଦେବ- ଏହା ନିଃସନ୍ଦେହ। କୌଣସି ଭାଷାକୁ ଧର୍ମ ସହ ସଂଯୋଗ କରା ନ ଯାଇ ଜାତି, ଧର୍ମ, ଲିଙ୍ଗ ନିର୍ବିଶେଷରେ କଥନ, ଅଧ୍ୟୟନ ଓ ଅଧ୍ୟାପନା ମାଧ୍ୟମରେ ଏହାର ଉତ୍କର୍ଷ ପ୍ରତିପାଦନ କରାଯାଇପାରେ।
ସିଦ୍ଧଳ, ଜଗତ୍ସିଂହପୁର, ମୋ-୯୯୩୭୪୫୦୫୪୦