ସାର୍ବଜନୀନ ହେଉନି ଜଷ୍ଟିସ୍‌ ସି.ଆର. ପାଲ୍‌ କମିଶନ ରିପୋର୍ଟ: ହାଇକୋର୍ଟରେ ମାମଲା, ସରକାରଙ୍କୁ ନୋଟିସ

କଟକ ଅଫିସ,୨୧।୧ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନିମନ୍ତେ ରାଜ୍ୟର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଆନ୍ଦୋଳନ ହୋଇଥିଲା। ଉପରୋକ୍ତ ଅଞ୍ଚଳରେ ବେଞ୍ଚ ପ୍ରତିଷ୍ଠା ସ୍ଥିତି ସମ୍ପର୍କରେ ଅନୁଧ୍ୟାନ ପାଇଁ ଜଷ୍ଟିସ୍‌ ସି.ଆର. ପାଲ୍‌ଙ୍କ ଅଧ୍ୟକ୍ଷତାରେ ୨୦୦୮ ମାର୍ଚ୍ଚ ୧୧ ତାରିଖରେ ଏକ କମିଶନ ଗଠିତ ହୋଇଥିଲା। ରିପୋର୍ଟ ଦାଖଲ କରିବା ପାଇଁ ଏହି କମିଶନ ୬ ବର୍ଷରୁ ଅଧିକ ସମୟ ନେଇଥିଲା। ଶେଷରେ ୨୦୧୪ ମେ ୩୧ ତାରିଖରେ କମିଶନ ଉକ୍ତ ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ କରିଥିଲେ। ରିପୋର୍ଟ ଦାଖଲ ହେବାକୁ ଇତିମଧ୍ୟରେ ୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ବିତିଛି। ମାତ୍ର ସରକାର କମିଶନଙ୍କ ରିପୋର୍ଟକୁ ସାର୍ବଜନୀନ କରିନାହାନ୍ତି। ଏହି ରିପୋର୍ଟକୁ ସାର୍ବଜନୀନ କରିବା ପାଇଁ ଆଡ୍‌ଭୋକେଟ ଶିବଶଙ୍କର ମହାନ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଗତ ମାମଲାର ଶୁଣାଣି କରି ସୋମବାର ହାଇକୋର୍ଟଙ୍କ ପକ୍ଷରୁ ଜବାବ ଦାଖଲ ନିମନ୍ତେ ସରକାରଙ୍କୁ ନୋଟିସ ଜାରି କରାଯାଇଛି। ପିଟିଶନରେ ମହାନ୍ତି ଦର୍ଶାଇଛନ୍ତି, କମିଶନ ଅଫ ଇନ୍‌କ୍ବାରି ଆକ୍ଟ ୧୯୫୨ ଅନୁଯାୟୀ କମିଶନଙ୍କ ଦ୍ୱାରା ଦାଖଲ କରାଯାଇଥିବା ଗୋଟିଏ ରିପୋର୍ଟକୁ ସର୍ବାଧିକ ୬ ମାସ ମଧ୍ୟରେ ସାର୍ବଜନୀନ କରିବା କଥା। ମାତ୍ର ସରକାର ୫ ବର୍ଷରୁ ଅଧିକ କାଳ ଏହି ରିପୋର୍ଟକୁ ଚାପି ରଖିବା ଫଳରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆନ୍ଦୋଳନ ଗଢି ଉଠୁଛି। ଗୋଟିଏ କମିଶନ ରିପୋର୍ଟ ସାର୍ବଜନୀନ ହୋଇ ନ ଥିବାବେଳେ ସରକାର ଗତ ମାର୍ଚ୍ଚ ୮ ତାରିଖରେ ଆଉ ଏକ ୫ ଜଣିଆ କମିଟି ଗଠନ କରିଛନ୍ତି। ତେଣୁ ଜଷ୍ଟିସ ସି.ଆର୍‌. ପାଲ କମିଶନଙ୍କ ରିପୋର୍ଟକୁ ସାର୍ବଜନୀନ କରିବା ପାଇଁ ଆବେଦନକାରୀ କୋର୍ଟରେ ନିବେଦନ କରିଥିଲେ। ଆବେଦନକାରୀ ମହାନ୍ତି ନିଜେ ଏହି ମାମଲା ପରିଚାଳନା କରୁଛନ୍ତି।

Share