ସାର, କୀଟନାଶକ ଦୋକାନ ଅଢ଼େଇ ଘଣ୍ଟା ଖୋଲା ରହିବ

ସମ୍ବଲପୁର,୨୮।୩ (ବ୍ୟୁରୋ):ଲକ୍‌ଡାଉନ ସମୟରେ ଜିଲାର ସମସ୍ତ ସାର ଓ କୀଟନାଶକ ଦୋକାନ ୩ ଘଣ୍ଟା ଖୋଲା ରହିବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି। ଚାଷୀ ସଙ୍ଗଠନର ଅନୁରୋଧ ରକ୍ଷା କରି ଜିଲାପାଳ ଶୁଭମ ସକ୍‌ସେନା ଏ ସଂକ୍ରାନ୍ତରେ ନିର୍ଦ୍ଦେଶ ଦେଇଛନ୍ତି। କୃଷି ନିର୍ଦ୍ଦେଶକ ସନ୍ତୋଷ ରାୟ, ଯୋଗାଣ ଅଧିକାରୀ ରଞ୍ଜନ ସେଠ ଓ ଚାଷୀ ସଙ୍ଗଠନ କର୍ମକର୍ତ୍ତାଙ୍କ ସହ ଜିଲାପାଳ ସକ୍‌ସେନା ପୃଥକ୍‌ ପୃଥକ୍‌ ଆଲୋଚନା କରିବା ପରେ ଏହି ଘୋଷଣା କରାଯାଇଛି। ପ୍ରତିଦିନ ସକାଳ ୯ଟା୩୦ରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ମାତ୍ର ଅଢେଇ ଘଣ୍ଟା ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି। ଏହା ସହ ପ୍ରତି ଡିଲର,ରିଟେଲର ଦୋକାନ ସମ୍ମୁଖରେ ହାତ ଧୋଇବା ବ୍ୟବସ୍ଥା କରିବା, ସାନିଟାଇଜର ବ୍ୟବହାର କରିବା, ସମାଜିକ ଦୂରତା ରଖିବା ପାଇଁ କଡା ନିର୍ଦ୍ଦେଶ ଦିଆଯାଇଛି। କୃଷିବିଭାଗ ଅଧିକାରୀ ଉପରୋକ୍ତ ବ୍ୟବସ୍ଥାର ଯାଞ୍ଚ କରିବେ। ଯଦି ନିୟମ ଉଲ୍ଲଂଘନ ହୁଏ ଉକ୍ତ ଦୋକାନୀଙ୍କ ବିରୋଧରେ କଡା କାର୍ଯ୍ୟାଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ସକ୍‌ସେନା କହିଛନ୍ତି। ଏଥିଯୋଗୁ ଚାଷୀମାନଙ୍କ ଚିନ୍ତା ହଟିଛି ବୋଲି ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ଆବାହକ ଅଶୋକ ପ୍ରଧାନ କହିଛନ୍ତି। ଏ ସମ୍ପର୍କରେ ନିର୍ଦ୍ଦେଶକ ରାୟ କହିଛନ୍ତି, ରବି ଫସଲ ପାଇଁ ସାର ଓ କୀଟନାଶକର ଆବଶ୍ୟକତା ରହିଛି। ସେଥିପାଇଁ କରୋନା କଟକଣାକୁ କୋହଳ କରାଯାଇଛି। ସୂଚନାଯୋଗ୍ୟ, ସମ୍ବଲପୁର ଜିଲାରେ ପ୍ରାୟ ୨୫ ହଜାର ହେକ୍ଟର ଜମିରେ ଧାନ ଓ ଅନ୍ୟ ଫସଲ ଚାଷ ହେଉଛି। ସେଥିପାଇଁ ବିିଭିନ୍ନ କିସମର ପ୍ରାୟ ୬୫ ହଜାର ମେଟ୍ରିକ ଟନ୍‌ ସାର ଆବଶ୍ୟକ ହୋଇଥାଏ। ଜିଲାରେ ମୋଟ ୧୦୨ କୀଟନାଶକ ଦୋକାନ ଓ ୪୪ ସମବାୟ ସମିତି ରହିଛି। ସେଠାରୁ ଚାଷୀମାନେ ସାର ଓ କୀଟନାଶକ କିଣିଥାନ୍ତି।

Share