ସାର ଗୋଦାମରେ କେନ୍ଦୁପତ୍ର ରଖିବା ଘଟଣା: ନିଲମ୍ବିତ ହେଲେ ଶିଖପାଲି ଲ୍ୟାମ୍ପ ପରିଚାଳକ

ମାଲକାନଗିରି, ୩୧ା୫(ଡି.ଏନ୍‌.ଏ.)-ମାଲକାନଗିରି ଜିଲା ଶିଖପାଲି ଲାମ୍ପ ପରିଚାଳକ ଧନେଶ୍ୱର ପଟ୍ଟନାୟକଙ୍କୁ ଲ୍ୟାମ୍ପ ପ୍ରଶାସକ ସାମଲ ମାରାଣ୍ଡି କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଚଲାଣଗୁଡା ପଞ୍ଚାୟତ ନୁଆଗୁଡାଠାରେ ଥିବା ସାର ଓ ବିହନ ଗୋଦାମରେ ସେ ବେନିୟମ ଭାବେ ଜଣେ ବ୍ୟବସାୟୀଙ୍କ କେନ୍ଦୁପତ୍ର ଗଛିତ ରଖିଥିଲେ। ଏହି ଖବର ପ୍ରକାଶ ପରେ ପ୍ରଶାସକ ମାରାଣ୍ଡି ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ। ପରେ ପୋଟେରୁ ଚିନାବାଦାମ ମଣ୍ଡିରେ ଚାଷୀଙ୍କ ଚିନାବାଦାମ ଖରିଦରେ ଅନିୟମିତତା ହୋଇଥିବା ବଦଲି ଏବଂ ଏମ୍‌ପିଭି- ୫ ଗ୍ରାମର ଚାଷୀଙ୍କ ଅଭିଯୋଗ ଖବର ପ୍ରକାଶ ପାଇବା ପରେ ଲ୍ୟାମ୍ପ ପରିଚାଳକ ପଟ୍ଟନାୟକଙ୍କୁ ନିଲମ୍ବିତ କରାଯାଇଛି। ସୂଚନାଯୋଗ୍ୟ ଯେ, ପଟ୍ଟନାୟକଙ୍କ ବିରୋଧରେ ଧାନ ମଣ୍ଡି ସମୟରେ ଅନେକ ଅନିୟମିତତା କରିଥିବା ନେଇ ଚାଷୀମାନେ ଅଭିଯୋଗ କରିଥିଲେ। ପ୍ରକୃତ ଚାଷୀଙ୍କଠାରୁ ଧାନ ଖରିଦ ନ କରି ସେମାନଙ୍କ ଅନଲାଇନ୍‌ ହୋଇପାରିବ ନାହିଁ ବୋଲି କହି ସେ ବ୍ୟବସାୟୀଙ୍କୁ ଅହେତୁକ ଅନୁକମ୍ପା ଦେଖାଉଥିଲେ।