ସାଲିଆ ସାହି ବସ୍ତି ଉଚ୍ଛେଦ ବନ୍ଦ ଦାବିରେ ବିକ୍ଷୋଭ

ଭୁବନେଶ୍ୱର, ୨୩ା୧୧(ବ୍ୟୁରୋ): ସାଲିଆସାହି ବସ୍ତି ଉଚ୍ଛେଦ ସମ୍ପୂୂର୍ଣ୍ଣ ବନ୍ଦ କରାଯିବା ସହ ସମସ୍ତ ପରିବାରକୁ ୨୦ଫୁଟ୍‌ରେ ୩୦ ଫୁଟ୍‌ ଜମି ଯୋଗାଇବା ଦାବିରେ ଶୁକ୍ରବାର ଲୋୟର ପିଏମ୍‌ଜିରେ ଗର୍ଜିଛନ୍ତି ସାଲିଆସାହି ବସ୍ତି ବାସିନ୍ଦା। ଏ ନେଇ ସାଲିଆ ସାହିରୁ ବିଧାନସଭା ଅଭିମୁଖେ ଏକ ଶୋଭାଯାତ୍ରା ବାହାରିଥିଲା। ବସ୍ତିର ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ ବାସିନ୍ଦା ‘ଜମି ନାହିଁ ତ ଭୋଟ୍‌ ନାହିଁ’ ସ୍ଲୋଗାନ ଦେଇ ଲୋୟର ପିଏମ୍‌ଜିରେ ପହଞ୍ଚିଥିଲେ। ସେଠାରେ ଏକ ସଭା ହେବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଦିଆଯାଇଥିଲା। ସେମାନଙ୍କ ଅଭିଯୋଗ ଅନୁଯାୟୀ, ଜଙ୍ଗଲ ଜମିରେ ସାଲିଆ ସାହି ଅବସ୍ଥିତ। ଜଙ୍ଗଲ ଅଧିକାର ଆଇନ୍‌ ୨୦୦୬ ଓ ସଂଶୋଧିତ ଆଇନ୍‌ ୨୦୧୨ ଅନୁସାରେ ସେମାନଙ୍କୁ ଘର ମିଳିବା ଆଇନସିଦ୍ଧ। ହେଲେ ବର୍ତ୍ତମାନ ସରକାର କର୍ପୋରେଟ ହାତରେ ଏହି ଜମି ଟେକି ଦେବାକୁ ବସିଛନ୍ତି। ଆବାସ ଯୋଜନାରେ ଘର ଯୋଗାଇବାକୁ ବସ୍ତି ବାସିନ୍ଦା ଦାବି କରିଥିଲେ। ଜୟଦେବ ନାୟକ, ପ୍ରମିଳା ବେହେରା, ରଘୁନାଥ ରଥଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ହୋଇଥିଲା।

Share