ସାଲିହାରେ କ୍ରାନ୍ତି ଦିବସ ବୀରଭୂମି ସାଲିହାର ସଂଗ୍ରାମୀ ଚିରନମସ୍ୟ

ନୂଆପଡ଼ା ଅଫିସ,୧ା୧୦
ସଦର ବ୍ଲକ ସାଲିହା ଶହୀଦ ସ୍ମୃତି ସ୍ତମ୍ଭ ନିକଟରେ ସୋମବାର ସାଲିହା କ୍ରାନ୍ତି ଦିବସ ପାଳିତ ହୋଇଯାଇଛି। ଖାମସିଂ ମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମହାସମୁନ୍ଦ ଏମପି ଚୁନ୍ନିଲାଲ ସାହୁ ମୁଖ୍ୟଅତିଥି, ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ପୂର୍ବତନ ରାଜ୍ୟ ସଭା ସଦସ୍ୟ ଏ. ଭି .ସ୍ବାମୀ, ଜିଲା ଓକିଲ ସଂଘ ସଭାପତି ପ୍ରସନ୍ନ କୁମାର ପାଢୀ, ନୂଆପଡା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଧନିରାମ ସାହୁ, ଇଂ ହୋମସିଂ ମାଝି, ବରିଷ୍ଠ ଆଇନଜୀବୀ ଚନ୍ଦ୍ରହାସ ସାହୁ, କେଶବନାନ୍ଦ ପଣ୍ଡା, ଟିଟୁ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ପ୍ରଥମେ ପୋଲିସ ବିଭାଗ ପକ୍ଷରୁ ଶହୀଦଙ୍କ ଉଦ୍ଦେଶ୍ୟରେ ତୋପ ସଲାମି ଦେଇ ସମ୍ମାନ ଜଣାଇଥିଲେ । ପରେ ଅତିଥିମାନେ ସାଲିହା ସ୍ମୃତି ସ୍ତମ୍ଭରେ ପୂଜା ଅର୍ଚ୍ଚନା କରି ଅମର ଶହୀଦଙ୍କ ଆମତ୍ର ସଦଗତି ନିମନ୍ତେ ସ୍ମୃତି ଚାରଣ କରିଥିଲେ । ସାଲିହା ସ୍କୁଲର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଭାରତ ସ୍ବାଧୀନତା ସଂଗ୍ରାମରେ ସାଲିହା ସଂଗ୍ରାମୀମାନଙ୍କ ଅବଦାନ ଅତୁଳନୀୟ । ତାଙ୍କ ବଳିଦାନ ପାଇଁ ଆମେ ସ୍ବାଧୀନତା ପାଇଛୁ । ଏବେ ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ସଂଗ୍ରାମୀଙ୍କ ବଳିଦାନକୁ ଅଣଦେଖା କରୁଛି। ଏଠିକାର ସଂଗ୍ରାମୀମାନେ ଚିର ନମସ୍ୟ ରହିବେ ବୋଲି ବକ୍ତାମାନେ କହିଥିଲେ। ଆମେ ସଂଗ୍ରାମୀଙ୍କ ଦାୟାଦମାନେ କେମିତି ତାଙ୍କର ଇତିହାସକୁ ଉନ୍ମୋଚନ କରି ଲୋକ ଲୋଚନାକୁ ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ହେବ ବୋଲି ମୁଖ୍ୟଅତିଥି ଏମପି ସାହୁ ଉଦବୋଧନ ଦେଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଛତିଶଗଡ ଓ ନୂଆପଡ଼ା ଜିଲାର କଳାକାରମାନେ ସଂଗ୍ରାମୀଙ୍କ ସ୍ମୃତିରେ ଦେଶାମତ୍ବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଆୟୋଜକ କମିଟି ସଭାପତି ଭୀମାରାମ ସାହୁ, ଉପ ସଭାପତି ଖୁମନଲାଲ ସାହୁ, ସମ୍ପାଦକ ମହେଶରାମ ସାହୁ, ସହ ସମ୍ପାଦକ କୁଲହରସିଂ ମାଝି, କୋଷାଧ୍ୟକ୍ଷ ଭୁବନଲାଲ ସାହୁ, ଉପଦେଷ୍ଟା ତେଜରାମ ଦେବାଙ୍ଗନ ପ୍ରମୁଖ ନେତୃତ୍ୱ ନେଇଥିଲେ। ସାଲିହା ସମେତ ଆଖପାଖ ଗାଁ ଲୋକେ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଖାମସିଂ ମାଝି ଧନ୍ୟବାଦ ଦେଇଥିଲେ।

Share