ସାଲେପୁର ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ଫାଶୀ ପ୍ରସଙ୍ଗ: ନାବାଳିକାଙ୍କ ପରିବାର କହିଲେ ‘୧୭ ମାସ ପରେ ନ୍ୟାୟ ମିଳିଛି’

ନିଶ୍ଚିନ୍ତକୋଇଲି, ୧୯।୯(ସ୍ବ.ପ୍ର.): ୨୦୧୮ରେ ସାଲେପୁର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାରେ ଗୁରୁବାର ଦୋଷୀ ମହମ୍ମଦ ମୁସ୍ତାକଙ୍କୁ କଟକର ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଏହି ରାୟ ପ୍ରକାଶ ପାଇବା ପରେ ନାବାଳିକାଙ୍କ ପରିବାର ପକ୍ଷରୁ ବିଚାରକୁ ସ୍ବାଗତ କରାଯାଇଛି। ଦୀର୍ଘ ୧୭ ମାସ ପରେ ନାବାଳିକାଙ୍କୁ ନ୍ୟାୟ ମିଳିଛି ବୋଲି ମା’, ବାପା ଏବଂ ଜେଜେ କହିଛନ୍ତି। ତେବେ ଅଭିଯୁକ୍ତଙ୍କୁ କେଉଁ ଦିନ ଫାଶୀ ଦିଆଯିବ ସେ ଦିନକୁ ସେମାନେ ଅପେକ୍ଷା କରି ରହିଛନ୍ତି। ଉକ୍ତଦିନ ନାବାଳିକାଙ୍କ ଆତ୍ମା ଶାନ୍ତି ପାଇବ। ସେହିଦିନ ହିଁ ପରିବାରକୁ ପ୍ରକୃତ ନ୍ୟାୟ ମିଳିବ। ଏପରିକି ସମାଜକୁ ଏହା ଏକ ଉଚିତ୍‌ ଦିଗ୍‌ଦର୍ଶନ ଦେବ ବୋଲି ସେମାନେ କହିଛନ୍ତି। ଅପରପକ୍ଷରେ ମୁସ୍ତାକଙ୍କ ମା’ କହିଛନ୍ତି, ତାଙ୍କ ପୁଅ ନିର୍ଦ୍ଦୋଶ। ତାଙ୍କୁ ନ୍ୟାୟ ଦେବାକୁ ଉପର କୋର୍ଟକୁ ଯିବୁ।

ପ୍ରକାଶଯୋଗ୍ୟ, ୨୦୧୮ ଏପ୍ରିଲ ୨୧ ତାରିଖରେ ସାଲେପୁର ଅଞ୍ଚଳରେ ଉକ୍ତ ନାବାଳିକା ଭାଇ ସହ ଖେଳୁଥିବା ବେଳେ ମୁସ୍ତାକ ତାଙ୍କୁ ଉଠାଇ ନେଇଥିଲେ। ଚକୋଲେଟ ବାହାନାରେ ସେ ତାଙ୍କୁ ବଳାତ୍କାର କରିବା ପରେ ମୁଣ୍ଡକୁ ଇଟାରେ ଛେଚି ଦେଇଥିଲେ। ଗୁରୁତର ନାବାଳିକାଙ୍କୁ ଉଦ୍ଧାର କରାଯିବା ପରେ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ନାବାଳିକାଙ୍କର ମୃତ୍ୟୁ ଘଟିଥିଲା। ଘଟଣାର ୧୯ ଦିନ ପରେ ପୋଲିସ ଚାର୍ଜଶିଟ ଦାଖଲ କରିଥିଲା।

Share