ସାହସିକତା ଦେଖାଇଲେ ସକୁଲୁ

ସିମୁଳିଆ, ୧୭।୩(ଡି.ଏନ.ଏ.)-ଟିକେ ଡେରି ହୋଇଥିଲେ ଜଣେ ୩ବର୍ଷର ଶିଶୁଙ୍କୁ ଜୀବନ ଚାଲିଯାଇଥାନ୍ତି। ହେଲେ ସକୁଲୁ ସିଂ ନାମକ ଜଣେ ୨୬ବର୍ଷୀୟ ଯୁବକ ନିଜ ଜୀବନକୁ ବାଜି ଲଗାଇ ଜଳନ୍ତା ଘର ମଧ୍ୟରୁ ଉକ୍ତ ଶିଶୁକୁ ଉଦ୍ଧାର କରି ସାହସିକତାର ପରିଚୟ ଦେଇଛନ୍ତି। ସକୁଲୁଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମାର୍କୋଣା ପଞ୍ଚାୟତ ବଣଗଡ଼ିଆରେ।
ରବିବାର ସତ୍ୟବ୍ରତ ପାତ୍ର ଓ ତାଙ୍କ ସ୍ତ୍ରୀ କେତକୀ ୩ ପିଲାଙ୍କୁ ଘରେ ଛାଡି ଅନ୍ୟତ୍ର କାମ କରିବାକୁ ଯାଇଥିଲେ। ଅପରାହ୍ନରେ ତାଙ୍କ ଘରେ ଅକସ୍ମାତ ନିଆଁ ଲାଗିଯାଇଥିଲା। ଘର ବାହାରେ ଦୁଇ ପୁଅ ଝିଅ ଖେଳୁଥିବା ବେଳେ ସାନ ପୁଅ ସରୋଜ ଘର ଭିତରେ ଶୋଇଥିଲେ। ଅଗ୍ନିକାଣ୍ଡର କାରଣ ଜଣା ନ ଥିଲା ା ବାହାରେ ଖେଳୁଥିବା ଦୁଇ ଭାଇ ଭଉଣୀ ଚିତ୍କାର କରିବାରୁ ହଠାତ୍‌ ଜଣେ ମହିଳା ସାନ ପୁଅ ସରୋଜଙ୍କୁ ଖୋଜିଥିଲେ। ସେ ଘର ଭିତରେ ରହିଯାଇଥିବା ଜଣାପଡ଼ିଥିଲା ା ସେତେବେଳକୁ ନିଆଁ ଘର ଛପର ଧରିନେଇଥିଲା। ସାହି ଲୋକେ କେହି ଘର ମଧ୍ୟକୁ ପଶିବାକୁ ସାହସ କରୁ ନ ଥିବା ବେଳେ ସକୁଲୁ କିଛି ଖାତର ନ କରି ଜଳନ୍ତା ଘର ମଧ୍ୟକୁ ପଶିଯାଇ ତାଙ୍କୁ ଉଦ୍ଧାର କରିଥିଲେ। ସକୁଲୁ ଜଣେ ଶ୍ରମିକ ବୋଲି ଜଣାଯାଇଛି।

Share