ସାହସିକତା ପୁରସ୍କାର ପାଇଁ ୨ ଛାତ୍ରଙ୍କ ନାମ ସୁପାରିଶ

ଯାଜପୁର ଟାଉନ,୮।୯(ଡି.ଏନ.ଏ.)- କୋରେଇ ବ୍ଲକ ସାଦକପୁର ପ୍ରାଥମିକ ବିଦ୍ୟାଳୟର ଜଣେ ୬ଷ୍ଠ ଶ୍ରେଣୀ ଛାତ୍ର ଗଣେଶ ପୂଜାଦିନ ପୋଖରୀରେ ବୁଡ଼ି ଯାଉଥିବାବେଳେ ୨ଜଣ ୮ମ ଣ୍ରେଣୀ ଛାତ୍ର ତାଙ୍କୁ ଉଦ୍ଧାର କରିଥିଲେ। ନିଜ ଜୀବନକୁ ବାଜି ଲଗାଇ ଉକ୍ତ ଦୁଇ ଛାତ୍ରଙ୍କ ଏଭଳି କାର୍ଯ୍ୟ ପ୍ରଶଂସନୀୟ ହୋଇଥିଲା। ଶନିବାର ଜିଲାପାଳ ରଞ୍ଜନ କୁମାର ଦାସ ଉଦ୍ଧାର କରିଥିବା ଏହି ୨ ଛାତ୍ରଙ୍କୁ ରାଜ୍ୟ ଓ ଜାତୀୟ ସାହସିକତା ପୁରସ୍କାର ପ୍ରଦାନ ପାଇଁ ରାଜ୍ୟ ଗୃହ ବିଭାଗ ପ୍ରମୁଖ ସଚିବଙ୍କୁ ଚିଠି ଲେଖିଥିବା ଜଣାପଡିଛି। ସୂଚନା ଯେ, ଗତ ୨ତାରିଖ ଦିନ ଗଣେଶ ପୂଜା ଦିନ ସାଦକପୁର ପ୍ରାଥମିକ ବିଦ୍ୟାଳୟର ଅବଦୁଲ ନଜିମ୍‌ ଖାଁଙ୍କ ୬ବର୍ଷର ଶିଶୁପୁତ୍ର ଘରକୁ ଫେରୁଥିବାବେଳେ ସ୍କୁଲ ନିକଟରେ ଥିବା ଏକ ପୋଖରୀରେ ଗଳି ପଡିଥିଲେ। ଏହି ସମୟରେ ଏହି ରାସ୍ତା ଦେଇ ୮ମ ଶ୍ରେଣୀରେ ପଢ଼ୁଥିବା ୨ ଛାତ୍ର ସେକ୍‌ ତସିଫ୍‌ ରାଜା ଓ ମହମ୍ମଦ ସୋଏବ ନିଜ ଜୀବନକୁ ବିପନ୍ନ କରି ପୋଖରୀକୁ ଡ଼େଇଁ ତାଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣାଟି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ୨ ଛାତ୍ରଙ୍କୁ ସାହସିକତା ପୁରସ୍କାର ପ୍ରଦାନ ପାଇଁ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଦାବି ହୋଇଥିଲା।