ସାହସ ଭରିଲା ଯୁଦ୍ଧାବସାନ ବାଦ୍ୟ

ଭୁବନେଶ୍ୱର,୧।୨(ବ୍ୟୁରୋ): ପତାକା ଅବତରଣ ଉତ୍ସବ ୭ମ ବାଟାଲିୟନ ପଡିଆରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ସୈନିକମାନଙ୍କୁ ଉତ୍ସାହିତ କରିଥିଲେ। ପୋଲିସ ବିଭାଗରୁ ୩୨୨ଜଣ ମ୍ୟୁଜିସିଆନ ଭାଗ ନେଇ ବିଭିନ୍ନ ପ୍ରକାର ବାଦ୍ୟ ବଜାଇବା ସହ ମିଲିଟାରୀ ମାର୍ଚ୍ଚ କରିଥିଲେ। ଯୁଦ୍ଧ ଓ ଯୁଦ୍ଧାବସାନ୍ୟ ବାଦ୍ୟ ଉପସ୍ଥିତ ଅତିଥି, ଅଧିକାରୀ ଓ ସୈନିକଙ୍କ ମନରେ ସାହସ ଭରିଦେଇଥିଲା। ଶେଷରେ ଘୁମୁରା ଓ ଅନ୍ୟ ଦେଶାତ୍ମବୋଧକ ସଙ୍ଗୀତ ସହ ନୃତ୍ୟ ନିଆରା ପରିବେଶ ସୃଷ୍ଟି କରିଥିଲା। ଏହାମଧ୍ୟରେ ସୂର୍ଯ୍ୟ ଅସ୍ତ ହେଉଥିବାବେଳେ ପତାକାକୁ ଅବତରଣ କରାଯାଇଥିଲା। ଶେଷରେ ଆତସବାଜି କାର୍ଯ୍ୟକ୍ରମ କରାଯାଇଥିଲା। ସୂର୍ଯ୍ୟାସ୍ତ ପରେ ସୈନ୍ୟମାନଙ୍କୁ ଯୁଦ୍ଧରୁ ନିବୃତ ରହିବା ଲାଗି ପୂର୍ବରୁ ଯୁଦ୍ଧାବସାନ ବାଦ୍ୟ ସହ ପତାକା ଅବତରଣ କରାଯାଉଥିଲା। ସେହି ସ୍ମୃତି ଓ ପରମ୍ପରାର ଏକ ଜୀବନ୍ତ କାର୍ଯ୍ୟକ୍ରମ ହେଉଛି ପତାକା ଅବତରଣ ଉତ୍ସବ।
ଅତିଥି ଭାବେ ଯୋଗଦେଇଥିବା ପୋଲିସ ଡିଜି ଅଭୟ କହିଛନ୍ତି, ପତାକା ଅବତରଣ ଉତ୍ସବ ପରାମ୍ପର ବହୁବର୍ଷ ଧରି ଚାଲିଆସୁଛି। ଯବାନଙ୍କ ମନରେ ସାହସ ଆଣିବା ପାଇଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉର୍ଦ୍ଦେଶ୍ୟ ଥିଲା। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ୧୮୪୮ର ରାଡ଼ିଟ୍ରକ୍‌ ମାର୍ଚ୍ଚ ସବୁଠୁ ଭଲ ହୋଇଥିଲା। ଆଗାମୀ ବର୍ଷରେ ଅଧିକରୁ ଅଧିକ ସାଧାରଣ ଲୋକେ ଏହି କାର୍ଯ୍ୟକ୍ରମରେ ସାମିଲ୍‌ ହୋଇ ଦେଶ ପାଇଁ ଲଢ଼ୁଥିବା ସୈନିକଙ୍କ ଦକ୍ଷତାକୁ ଜାଣିବେ ତାହାର ବ୍ୟବସ୍ଥା କରାଯିବ। ଏଭଳି ପରମ୍ପରା ହେଉଛି ପୋଲିସ ବିଭାଗର ପରିଚୟ। ସୈନିକ ଓ ଯବାନଙ୍କ ମନରେ ଏହା ଉତ୍ସାହ ତଥା ଗୌରବ ଆଣିବ। ତେବେ ଏହାକୁ ମାହାତ୍ମାଗାନ୍ଧୀ ମାର୍ଗରେ କରାଯିବାକୁ ଯୋଜନା ରଖାଯାଇଥିଲା। କିନ୍ତୁ ରାସ୍ତା ଶଙ୍କୁଚିତ ହେଉଥିବାରୁ ସେଠାରେ ଏହାର ଆୟୋଜନ କରିବା ସମ୍ଭବ ହୋଇ ନ ଥିଲା ବୋଲି ଷଡ଼ଙ୍ଗୀ କହିଛନ୍ତି।

Share